ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ହନୁମାନ ଶକ୍ତି ଜାଗରଣ ସମିତି ନିଶ୍ଚିନ୍ତକୋଇଲି ଆନୁକୂଲ୍ୟରେ ଯୁବଶକ୍ତି ଭାରତ ଚାରିଟେବୁଲ ଟ୍ରଷ୍ଟ ସହଯୋଗରେ ୨୬ ତାରିଖ ମଙ୍ଗଳବାର ସଂଧ୍ୟାରେ ନିଶ୍ଚିନ୍ତକୋଇଲି ମହିମା ମାର୍କେଟସ୍ଥିତ ରାଧାକୃଷ୍ଣ କଲ୍ୟାଣ ମଣ୍ଡପ ପରିସରରେ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ୧୯୯୯ ମସିହା ୨୬ ଜୁଲାଇ ଦିନ ଆମ ଦେଶର ଜୱାନ ମାନେ ଟାଇଗର ହିଲ୍ରେ ଆମ ଦେଶର ଜାତୀୟ ପତାକା ତ୍ରିରଙ୍ଗାକୁ ଉଡାଇଥିଲେ । ସେହି ଅପରେସନ ବିଜୟର ଜୁଲାଇ ୨୬ ହେଉଛି ରକ୍ତାଭିଷେକ ଦିନ । ଏହି ଯୁଦ୍ଧରେ ଆମ ଦେଶର ୫୨୭ ଜଣ ଯବାନ ସହୀଦ ହୋଇଥିଲେ । କିନ୍ତୁ ବ୍ୟର୍ଥ ଯାଇନଥିଲା ଆମ ଦେଶର ଯବାନଙ୍କ ବଳିଦାନ । ସେମାନେ ରଖିଥିଲେ ଆମ ଦେଶର ଟାଣ । ଟାଇଗର ହିଲ୍ରେ ତ୍ରିରଙ୍ଗା ପତାକା ଉଡାଇ ଆମ ଦେଶର ଯବାନ ମାନେ ଆମେ ଭାରତୀୟ କେତେ ଶକ୍ତିଶାଳୀ ବୋଲି ପାକ୍ ସେନାକୁ ପରିଚୟ ଦେଇଥିଲେ । ଆଉ ଥରି ଉଠିଥିଲା ପାକ୍ ସେନା । ଅପରେସନ୍ ବିଜୟରେ ଭାରତ ମାତାର ସୁଯୋଗ୍ୟ ସନ୍ତାନ ସହୀଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ଓ ଆଜିର ଦିନକୁ ମନେ ପକାଇବା ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ସେନା ଅଧିକାରୀ ଭରତ ଚନ୍ଦ୍ର ସାହୁ ଯୋଗ ଦେଇଥିଲା ବେଳେ ସମ୍ମାନୀତ ଅତିଥି ଭାବେ ଆଇନଜୀବୀ ଓଡିଶା ଉଚ୍ଚ ନ୍ୟାୟାଳୟ ଯାଜ୍ଞସେନ ମହାନ୍ତି, ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓଡିଶା ଶାଖା ସଂପାଦକ ଇଂ. ସୁବ୍ରତ ତ୍ରିପାଠୀ ଯୋଗ ଦେଇଥିଲେ । ପ୍ରାରମ୍ଭରେ ସୁମନ୍ତ ଘଡେଇ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଇଂ. ସୁବ୍ରତ ତ୍ରିପାଠୀ ସହୀଦ ବୀର ଜବାନଙ୍କ ଉଦ୍ଦେଶ୍ୟରେ ସ୍ୱରଚିତ କବିତା ପାଠ କରିଥିଲେ । ସଭାରେ ଉପସ୍ଥିତ ଅତିଥି ମାନେ ଦେଶ ମାତୃକା ପାଇଁ ନିଜ ନିଜର ଜୀବନକୁ ବଳିଦାନ ଦେଇଥିବା ସହୀଦ ମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ହନୁମାନ ଶକ୍ତି ଜାଗରଣ ସମିତି ନିଶ୍ଚିନ୍ତକୋଇଲିର ସଭ୍ୟ ଓ ଯୁବଶକ୍ତି ଭାରତ ଚାରିଟେବୁଲ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତାଙ୍କ ସମେତ ପ୍ରାୟ ୨୦୦ ରୁ ଉର୍ଦ୍ଧ ଯୁବ ଦେଶପ୍ରେମୀ ଏକ ମହମବତୀ ଶୋଭାଯାତ୍ରାରେ ଯାଇ ନିଶ୍ଚିନ୍ତକୋଇଲି ବଜାର ପରିକ୍ରମା କରିଥିଲେ । ପରେ ଶୋଭାଯାତ୍ରା ନିଶ୍ଚିନ୍ତକୋଇଲି ରାଧାକୃଷ୍ଣ କଲ୍ୟାଣ ମଣ୍ଡପଠାରେ ପହଂଚିବା ପରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା । ଶେଷରେ ସୁନୀଲ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।
କାରଗିଲ୍ ବିଜୟ ଦିବସ ପାଳିତ !!!

