Site icon Awaj Media

ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀ ପାଳିଲେ ଗହ୍ମାପୂର୍ଣ୍ଣିମା ପର୍ବ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଶ୍ରୀକ୍ଷେତ୍ର ପରି ଶକ୍ତି କ୍ଷେତ୍ର ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ମନ୍ଦିରରେ ମଧ୍ୟ ବାର ମାସରେ ତେର ଯାତ କାହିଁ କେଉଁ କାଳରୁ ପାଳିତ ହୋଇ ଆସୁଛି । ତନ୍ମଧ୍ୟରୁ ବର୍ଷାଋତୁର ଧାରା ଶ୍ରାବଣର ପୂର୍ଣ୍ଣିମା ତିଥିରେ ମା’ଙ୍କ ଗହ୍ମାପର୍ବ ଅତ୍ୟନ୍ତ ଆନନ୍ଦଦାୟକ ଓ ଅନ୍ୟାନ୍ୟ ମନ୍ଦିର ଠାରୁ ସଂପୂର୍ଣ୍ଣ ନିଆରା । ପୂର୍ଣ୍ଣମୀ ଦିନ ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ, ମହାପ୍ରସାଦ ଅର୍ପଣ, ବଲ୍ଲଭ, ମଙ୍ଗଳ ଆଳତି, ବେଶରେ ସର୍ବସାଧାରଣ ଦର୍ଶନ, ଦିବା ବାର ଘଟିକାରେ ଧୁପ ପରେ ଦିବା ପହୁଡ, ପରେ ସଂଧ୍ୟା ନିଶଙ୍କୁଡି, ଖେଇ କାନ୍ତି ସରପୁଳି ଭୋଗ ପରେ ମା’ଙ୍କ ବିଜେ ପ୍ରତିମା ସ୍ତମ୍ୱେଶ୍ୱରୀ କାଠି ଠାକୁରାଣି,ଚନ୍ଦ୍ରଶେଖର ଗୋପିନାଥଙ୍କ ସହ ଘଣ୍ଟା, ଘଣ୍ଟ, କାହାଳି,ଆଲଟ, ଚାମର, ଛତ୍ର ତରାସରେ ସେବାୟତ ମାନଙ୍କ ସହ ପୂର୍ବ ଦିଗକୁ ଯାତ୍ରା କରିଥିଲେ । ବାଣପୁର ସହରର ବିଷରପାଟଣା ଛକରେ ପୂର୍ବରୁ ପଲେଇ ସେବାୟତ ମାନଙ୍କ ଦ୍ଵାରା ବାଲିରେ ବେଦି କରାଯାଇ ଆସନ ପକାଯାଇଥିଲା । ମା’ ଚନ୍ଦ୍ରଶେଖର ଓ ଗୋପୀନାଥଙ୍କ ସହ ଉକ୍ତ ବେଦି ଉପରେ ଉପବେଶନ କଲା ପରେ ପରିଚ୍ଛା ସାମନ୍ତଙ୍କ ଦ୍ଵାରା ଷୋଡ଼ଷ ଉପଚାରରେ ପୂଜା କରାଯାଇ ଶାକର ନଡ଼ିଆପାତି ନୈବେଦ୍ୟ ଅର୍ପଣ ପରେ ଆଳତୀ ବନ୍ଦାପନା ବଢିଥିଲା । ଶେଷରେ ପୂର୍ବରୁ ପଲେଇ ସେବକ ମାନଙ୍କ ଦ୍ଵାରା ଅଣାଯାଇଥିବା ବାଛୁରି ଛୁଆଟିକୁ ଫୁଲ ଚନ୍ଦନରେ ବନ୍ଦାପନା କରାଯାଇ ଘଣ୍ଟା କାହାଳି ଶବ୍ଦରେ ବାଲି ବେଦି ଉପରକୁ ଡିଆଁଇ ଗହ୍ମାଡ଼ିଆ ପର୍ବ ଶେଷ ହୋଇଥିଲା । ଏହି ପର୍ବକୁ ଉପଭୋଗ କରିବା ପାଇଁ ଅଗଣିତ ଶ୍ରଦ୍ଧାଳୁଙ୍କ ଜୟଧ୍ଵନୀରେ ପରିସର ଆଧ୍ୟାତ୍ମିକମୟ ହୋଇ ଉଠିଥିଲା । ସେଠାରୁ ଫେରିବା ବାଟରେ ପରିଛା ସାମନ୍ତଙ୍କ ଦୁଆରେ ଦୁଆରେ ମଣ୍ଡା କାକରା ଭୋଗ ଖାଇ ମା’ ମନ୍ଦିରକୁ ଫେରିଥିଲେ । ଏହାକୁ ଦେଖିବା ପାଇଁ ବହୁ ଜନ ସମାଗମ ହୋଇଥିଲା ।

Exit mobile version