କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ , ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଉପକୂଳବର୍ତ୍ତୀ ୫ ଜିଲ୍ଲାରେ ଦାଉ ସାଧିଛି ବନ୍ୟା । ଜଗତସିଂହପୁର କୁଜଙ୍ଗରେ ମହାନଦୀ, ଯାଜପୁର ଦଶରଥପୁରରେ କାଣି, କେନ୍ଦ୍ରାପଡ଼ା ମାର୍ଶାଘାଇରେ କରାଣ୍ଡିଆ ଏବଂ ପୁରୀ କଣାସରେ ମକରା ନଦୀରେ ଘାଇ ଯୋଗୁଁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି । କଟକ ଜିଲ୍ଲାର ଆଠଗଡ଼, ତିଗିରିଆ ଓ ବାଙ୍କୀ-ଡମପଡ଼ା ବ୍ଲକରେ ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏହି ବନ୍ୟା ଫସଲ ଧୋଇ ନେଇଛି । ଘରେ ପାଣି ପଶି ଯାଇଥିବାରୁ ଲାେକେ ରାତି ଶୋଇ ପାରୁନାହାନ୍ତି । ଦୁଇ ଦିନ ଧରି କ୍ରମାଗତ ଭାବେ ମହାନଦୀ ଓ ଏହାର ବିଭିନ୍ନ ଶାଖା ନଦୀ ଗୁଡ଼ିକ ଫୁଲୁଥିବାରୁ କେନ୍ଦ୍ରାପଡ଼ା ମାର୍ଶାଘାଇରେ କରାଣ୍ଡିଆ ନଦୀରେ ସୃଷ୍ଟି ହୋଇଛି ଦୁଇଟି ଘାଇ । ଘାଇ ସୃଷ୍ଟି ହେବା ଫଳରେ ମାର୍ଶାଘାଇ ବ୍ଲକର ବହୁ ଅଞ୍ଚଳକୁ ମାଡ଼ି ଯାଇଛି ବନ୍ୟାଜଳ । ପାଣିରେ ବୁଡ଼ି ରହିଛି ହଜାର ହଜାର ହେକ୍ଟର ଚାଷଜମି । ସେପଟେ ଚିତ୍ରୋତ୍ପଳା ନଦୀର ପାଣି ପଶିଯିବାରୁ ଡେରାବିଶ ଓ ମହାକାଳପଡ଼ା ବ୍ଲକର ବହୁ ପଞ୍ଚାୟତବାସୀ ଜଳବନ୍ଦୀ ହୋଇଛନ୍ତି ।

