Site icon Awaj Media

“ମାଳତୀ ଝୁଲଣ ଯାତ୍ରା” ଉଦଯାପିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ଗୌଡିୟ ସଂପ୍ରଦାୟର ସାନ ରାଧାକାନ୍ତ ମଠ (ନୃସିଂହନାଥ ମଠ) ରେ ଚାଲିଥିବା “ମାଳତୀ ଝୁଲଣ ଯାତ୍ରା” ଉଦଯାପିତ ହୋଇଯାଇଛି । ଏହି ଯାତ୍ରା ଶ୍ରାବଣ ମାସର ଶୁକ୍ଳ ପକ୍ଷ ଦଶମୀ ଠାରୁ ଆରମ୍ଭ ହୋଇ ରାକ୍ଷୀ ପୂର୍ଣ୍ଣିମା ଯାଏଁ “ମାଳତୀ ଝଲଣ ଯାତ୍ରା” ଅନୁଷ୍ଠିତ ହୋଇଥାଏ । ଏହି ଉତ୍ସବର ମୂଳ ଲକ୍ଷ ଗ୍ରୀଷ୍ମ ଋତୁରେ ଅସହ୍ୟ ଗରମ ପରେ ପରେ ବର୍ଷା ଋତୁର ଆଗମନରେ ବୃନ୍ଦାବନର ଶ୍ୟାମଳ ଶୋଭାକୁ ଦେଖି କରି ଗୋପୀ ମାନଙ୍କ ମନରେ ଶ୍ରୀକୃଷ୍ଣ ଓ ରାଧାରାଣୀଙ୍କୁ ଝୁଲଣ ବିହାର କରାଇବା ପାଇଁ ଇଚ୍ଛା ଜାଗୃତ ହେଲା , ସେତେବେଳେ ପୂର୍ଣ୍ଣିମାସୀ ଓ ବୃନ୍ଦାଦେବୀ ବୃନ୍ଦାବନକୁ ବିଭିନ୍ନ ଫଳ ଓ ପୁଷ୍ପରେ ସଜାଇ ଥିଲେ । ଏହି ଉତ୍ସବକୁ ସ୍ମରଣ କରି ବିଭିନ୍ନ ଆଚାର୍ଯ୍ୟ ମାନଙ୍କ ପରମ୍ପରା ଅନୁସାରେ ଶହ ଶହ ବର୍ଷ ଧରି ଏହି ଯାତ୍ରା ପାଳିତ ହୋଇ ଆସୁଛି ।

ଏହି ଉତ୍ସବଟି ମାଳତୀ ଫୁଲ ଦ୍ୱାରା ସାଜସଜା ଠାକୁର ଶ୍ରୀରାଧାକୃଷ୍ଣଙ୍କୁ ଝୁଲଣ କୁଞ୍ଜରେ ବିଜେ କରାଇ ତାଳ , ମୃଦଙ୍ଗ, ଘଣ୍ଟ , ଶଙ୍ଖ ଧ୍ୱନିରେ ପାରମ୍ପାରିକ ନୀତିରେ ନୀତିକାନ୍ତି କରାଯାଇଥାଏ । ପାରଳାଖେମୁଣ୍ଡି ସହରର କରଣ ସାହି ସ୍ଥିତ ସାନ ରାଧାକାନ୍ତ ମଠରେ ଶହେ ବର୍ଷରୁ ଉର୍ଦ୍ଧ ସମୟ ଧରି ଏହି ଯାତ୍ରା ପାଳିତ ହୋଇଆସୁଛି । ଶ୍ରୀରାଧାକୃଷ୍ଣ ଦୁହେଁ ଝୁଲଣ କୁଞ୍ଜରେ ବିଜେ ପରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ ପରେ ଗଞ୍ଜାମ ଜିଲ୍ଲା ଏରେଣ୍ଡା ପଞ୍ଚାୟତର କାଳଷଣ୍ଡପୁର ଶାସନ ଗ୍ରାମର ଦାସକାଠିଆ ଗାହକ ଲଳିତ ମୋହନ ଦାଶଙ୍କ ଦାସକାଠିଆ ପରିବେଷଣ , ଜୟବୀର ହନୁମାନ ସଂକୀର୍ତ୍ତନ ମଣ୍ଡଳୀର ବୀରକିଶୋର ପଟ୍ଟନାୟକ , ରବି ନାରାୟଣ ଚୌଧୁରୀ ଓ ସାଥିଙ୍କ ଦ୍ବାରା ସଂକୀର୍ତ୍ତନ କାର୍ଯ୍ୟକ୍ରମ ଓ ଗଜପତି କଳା ପରିଷଦର ଭକ୍ତି ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବ ମଠର ମହନ୍ତ ମହାରାଜ ଶ୍ରୀ ମଦନ ଗୋପାଳ ଦାସଜୀ , ନାରାୟଣ ପାଣି , ଗୋପାଳକୃଷ୍ଣ ରଥ , ବାବା ମଧୁସୁଦନ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।

Exit mobile version