Site icon Awaj Media

ଲଗାଣ ବର୍ଷାରେ ଧୋଇଗଲା ସାମନବାଡ଼ି ପୋଲ ରାସ୍ତା !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସମଗ୍ର ରାଜ୍ୟରେ ବନ୍ୟା ବିଭୀଷିକା ଲାଗି ରହିଥିବା ବେଳେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ସାମନବାଡ଼ି ଗ୍ରାମ ନିକଟରେ ଥିବା ସାମନବାଡ଼ି ପୋଲର ପାର୍ଶ୍ଵ ରାସ୍ତା ଧୋଇ ହୋଇ ଧସି ଯାଇଛି । ଯାହା ଫଳରେ ବର୍ତ୍ତମାନ ସେହି ରାସ୍ତା ଦେଇ ବସ ଚଳାଚଳ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇ ଯାଇଥିବା ବେଳେ ଲୋକେ ବିପଦସଂକୁଳ ଅବସ୍ଥାରେ ଅଟୋରେ ଯାତାୟାତ କରୁଛନ୍ତି । ପୋଲଟି ଧସି ଯିବାରୁ ଏହି ରାସ୍ତା ଦେଇ ଦାରିଙ୍ଗବାଡ଼ିରୁ ବୁଡ଼ାଗୁଡା ଦେଇ ବାଲିଗୁଡା ଯାତାୟାତ କରୁଥିବା ସମସ୍ତ ବସ୍ ଯାତାୟତ କରି ପାରିନାହିଁ। ଏଥିସହ ଭୁବନେଶ୍ୱର ରୁ ବୁଡ଼ାଗୁଡା ଯାଉଥିବା ବସ୍‌ ଗୁଡ଼ିକ ଅଧା ବାଟରେ ଅଟକି ରହିଛି । ଏହି ରାସ୍ତା ଉପରେ ଦାରିଙ୍ଗବାଡ଼ି ବ୍ଲକର ତିଲୋରୀ ସମେତ ବୁଡ଼ାଗୁଡା ଗୁମିକିଆ ସହିତ ପଡ଼ୋଶୀ କୋଟଗଡ ବ୍ଲକର ପକାରୀ ଓ ବାଲିଗୁଡା ବ୍ଲକର ଋତୁଙ୍ଗିଆ ପଞ୍ଚାୟତବାସୀ ନିର୍ଭର କରିଥାନ୍ତି । ଗତକାଲି ଠାରୁ ଅଞ୍ଚଳରେ ଲାଗି ରହିଥିବା ଲଗାଣ ବର୍ଷାରେ ଆଜି ପୋଲଟି ଧସି ଯାଇଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ଏହି ପୋଲଟି ପାଖାପାଖି ୧୯୮୨ ମସିହାରେ ନିର୍ମାଣ ହୋଇଥିବା କହିବା ସହିତ କୌଣସି ସରକାରୀ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏନେଇ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ସେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ରାସ୍ତାଟି ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଥିଲା, ଏବେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇଛି । ସନ୍ଧ୍ୟା ସୁଦ୍ଧା ଧସି ଯାଇଥିବା ସ୍ଥାନଟିକୁ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରିବା ସହିତ ଉକ୍ତ ପୋଲ ଦେଇ ଯାତାୟତ ସୁବିଧା କରିବାକୁ କାର୍ଯ୍ୟ ଆରମ୍ଭ କରାଯାଇଥିବା ପ୍ରକାଶ କରିଥିଲେ । ଉକ୍ତ ରାସ୍ତା ସହିତ ସେହି ସ୍ଥାନରେ ନୂତନ ପୋଲ ନିର୍ମାଣ କରାଯିବ । ଏଥିପାଇଁ ଟେଣ୍ଡର ସରିଯାଇଛି । କେବଳ ଏଗ୍ରିମେଣ୍ଟ ବାକି ରହିଛି ବୋଲି ପୂର୍ତ୍ତ ବିଭାଗ ଏସ. ଡି. ଓ ବ୍ରଜ କିଶୋର ମହାପାତ୍ର ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗି ରହିଥିବା ବେଳେ ଯଦି ସନ୍ଧ୍ୟା ସୁଦ୍ଧା କାର୍ଯ୍ୟ ନସରେ ଓ ରାତିସାରା ବର୍ଷା ଲାଗି ରହେ ତେବେ ପୋଲଟିର ସମ୍ପୂର୍ଣ୍ଣ ରାସ୍ତା ଧୋଇ ହୋଇଯିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ସାଧାରଣରେ ଆଲୋଚନା ହେଉଛି ।

Exit mobile version