Site icon Awaj Media

କଟକ ଜିଲ୍ଲା ସର୍ବୋଦୟ ମଣ୍ଡଳ ପକ୍ଷରୁ ଜିଲ୍ଲା ସମ୍ମିଳନୀ !!!

Spread the love

କଟକ (ଆୱାଜ ମିଡିଆ) – ଅମ୍ରିତା ପଟ୍ଟନାୟକ : ସ୍ବାଧୀନତାର ଅମୃତ ମହୋତ୍ସବ ବର୍ଷରେ ଦେଶର ସମସ୍ତ ରାଜନୈତିକ ଦଳ ଲୋକମାନଙ୍କୁ ନ୍ଯାୟ ଓ ଅଧିକାର ପ୍ରଦାନ କରିବାକୁ ବିଫଳ ହୋଇଛନ୍ତି । ଦରଦାମ ବୃଦ୍ଧି, ବେକାରୀ ଓ ଧର୍ମୀୟ ବିଦ୍ବେଷ ଭାରତର ଅଣ୍ଟା ଭାଙ୍ଗି ସାରିଲାଣି । ଛୋଟ ବଡ ସମସ୍ତ ରାଜନୈତିକ ଦଳଙ୍କୁ ଭାରତୀୟ ଜନତା କ୍ଷମତାରେ ବସାଇଥିବା ବେଳେ ସେମାନେ ସମସ୍ତେ ଯେ ବିଫଳ ହୋଇଛନ୍ତି, ଏକଥା ସମସ୍ତଙ୍କୁ ଜଳଜଳ ହୋଇ ଦେଖା ଯାଉଛି । ଏପରି ବିକଟ ପରିସ୍ଥିତିରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ସର୍ବୋଦୟ ହିଁ ଏକମାତ୍ର ରାସ୍ତା ବୋଲି ଗାନ୍ଧୀ ଭବନ ଠାରେ କଟକ ଜିଲ୍ଲା ସର୍ବୋଦୟ ମଣ୍ଡଳ ପକ୍ଷରୁ ସଭାପତି ବିଶ୍ବଜିତ ସୂର୍ଯ୍ୟବଂଶୀଙ୍କ ସଭାପତିତ୍ବରେ ଆୟୋଜିତ ଜିଲ୍ଲା ସମ୍ମିଳନୀରେ ବକ୍ତାମାନେ ମତ ଦେଇଥିଲେ । ସର୍ବୋଦୟ ରାସ୍ତାରେ ସମସ୍ତେ ସ୍ବାବଲମ୍ବୀ ହେବା ସହ କ୍ଷମତା ଗୋଟିଏ ଦୁଇଟି ସ୍ଥାନରେ ଠୁଳ ନହୋଇ ଗାଁ ଗାଁରେ ଲୋକଙ୍କ ହାତରେ ରହିବ ଓ ବେକାରୀ ହଟିବା ସହ ଦରଦାମ ମଧ୍ୟ ନିୟନ୍ତ୍ରଣ ହୋଇପାରିବ । ସର୍ବ ଧର୍ମ ମାର୍ଗରେ ଲୋକେ ପରିଚାଳିତ ହୋଇ ଦେଶରେ ଭାଇଚାର ବୃଦ୍ଧି ପାଇବ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ ।ଏହି ସମ୍ମିଳନୀରେ ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସମ୍ପାଦକ ଜୟନ୍ତ କୁମାର ଦାସ, ଦୂରଦର୍ଶନର ପ୍ରାକ୍ତନ ନିର୍ଦ୍ଦେଶିକା ଜୟନ୍ତୀ ମଞ୍ଜରି ରଥ, ସର୍ବୋଦୟ ସେବକ ମିହିର ପ୍ରତାପ ଦାସ, ଯୁବ ସାମ୍ବାଦିକ ଜ୍ଞାନରଞ୍ଜନ ସାମନ୍ତରାୟ, ଲକ୍ଷୀପ୍ରକାଶ ମହାପାତ୍ର, ଅନିମା ରାୟ, ହରିହର ସେନ,ଦୀପିୟନ ପଟ୍ଟନାୟକ ପ୍ରମୁଖ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ରାଷ୍ଟ୍ରୀୟ ଯୁବ ସଂଗଠନର ରାଷ୍ଟ୍ରୀୟ ସମିତି ସଦସ୍ୟ ମାନସ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସାଗର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version