Site icon Awaj Media

କୋଟଗଡ ଥାନା ଅଞ୍ଚଳରେ ମାଓ ପୋଷ୍ଟର : ବିଭିନ୍ନ ରାଜନେତାଙ୍କୁ ମାଓବାଦୀଙ୍କ ଚେତାବନୀ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳରେ ପୁଣି ଲାଗିଲା ମାଓବାଦୀଙ୍କ ହାତ ଲେଖା ପୋଷ୍ଟର l ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନାର ଜାମଝୋର ଛକରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରତିନିଧି ମନୋଜ ସାବତ, ପୂର୍ବତନ ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ ଓ଼ ବ୍ଲକ କ୍ୟାସିଅର ଛବି ବାବୁଙ୍କ ନାମରେ ଲାଗିଛି ପୋଷ୍ଟର l ବିଭିନ୍ନ ଦୁର୍ନୀତିରେ ଛନ୍ଦି ହୋଇ ସରକାରୀ ଅର୍ଥ ହରିଲୁଟ ଏବଂ ରାଜସ୍ବ ବିଭାଗକୁ ହାତକରି ଜଙ୍ଗଲ ଜମି ନିଜ ଅକ୍ତିଆରକୁ ନେବା ଭଳି ସଙ୍ଗୀନ ଅଭିଯୋଗ ସତ୍ୱେ ଭିଜିଲାନ୍ସ ବିଭାଗ ଧରୁ ନଥିବାରୁ ମାଓବାଦୀ ସଂଗଠନ ବିରୋଧ କରୁଛି ବୋଲି ପୋଷ୍ଟର ରେ ଲେଖାଯାଇଛି l ଜ଼ିଲ୍ଲାରେ କିଛି ସାମ୍ବାଦିକ ଶାସକ ଦଳ ଓ଼ ପ୍ରଶାସନର ଗୋଲାମଗିରି କରି ଦୁର୍ନୀତିକୁ ଘଣ୍ଟ ଘୋଡାଉଛନ୍ତି ଆମେ ତାହାର ଖୁଲାସା କରିବୁ l ଭିଜିଲାନ୍ସ ବିଭାଗ ନ ଧରିଲେ ଆମେ ବସନ୍ତ ଭାଟଙ୍କ ପରି ହତ୍ୟା କରିବୁ ବୋଲି ପୋଷ୍ଟରେ ଉଲ୍ଲେଖ ରହିଛି l ସିପିଆଇ ମାଓବାଦୀ ଡିଭିଜନ ବାଘୁନା କମିଟି ବୋଲି ଲଗା ଯାଇଥିବା ପୋଷ୍ଟରରେ ଲେଖାଯାଇଛି l ପୋଷ୍ଟର ପରେ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି l ତେବେ ଏହି ପୋଷ୍ଟର ମାଓବାଦୀ ଲଗାଇଛନ୍ତି ନା ଆଉ କେହି ଦୁର୍ବୁତ୍ତ ମାଓବାଦୀ ନାଁରେ ପୋଷ୍ଟର ଲଗାଇ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରୁଛି ତାହା ତଦନ୍ତ କଲେ ଜଣାପଡିବ l

Exit mobile version