Site icon Awaj Media

ମହାମାରୀ କରୋନା ସଚେତନତାର ୩୬ ତମ ସମୀକ୍ଷା ବୈଠକ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ବିଶ୍ୱରେ ମହାମାରୀ କରୋନାର ପ୍ରଭାବ ଜାରି ରହିଥିବା ସମୟରେ , ଆଜକୁ ଦୀର୍ଘ ୯୦୦ ଦିନ ଧରି ନିରବଚ୍ଛିନ୍ନ ଭାବରେ ଲୋକମାନଙ୍କୁ ସଚେତନ ଓ ସେବା ଯୋଗାଇ ଆସିଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ୍ । ଭୋକିଲାର ପେଟକୁ ଦାନା, ଫୁଙ୍ଗୁଳାର ଦେହକୁ କନା, ଗରିବ ଓ ଅସହାୟକୁ ଆଶ୍ୱାସନା, ଅସଚେତନ ବ୍ୟକ୍ତିକୁ ସଚେତନତା ଆଦି ଯୋଗାଇ ଦେବା ଉଦ୍ଦେଶ୍ୟରେ ୨୨ ମାର୍ଚ୍ଚ ୨୦୨୦ ମସିହାରୁ ଅଦ୍ୟାବଧି ଏହି କାର୍ଯ୍ୟ ଜାରି ରହିଛି । ଏହି ସଚେତନତା ,କରୋନା କିଟ୍ ଓ ରିଲିଫ ବଣ୍ଟନ କାର୍ଯ୍ୟକୁ ବ୍ୟାପକ କରିବା ଏବଂ ନୂତନ ତରିକା ପ୍ରସ୍ତୁତି କରିବା ଉଦ୍ଦେଶ୍ୟରେ ପ୍ରତି ୨୫ ଦିନରେ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥାଏ । ଏହି ପରିପ୍ରେକ୍ଷୀରେ ୯୦୦ ତମ ଦିବସର ୩୬ ତମ ସମୀକ୍ଷା ବୈଠକ ମଙ୍ଗଳପୁର ସ୍ଥିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗୃପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ସଚେତନ କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାର, ଶିଶୁ ସାହିତ୍ୟିକ ତଥା ସାମ୍ବାଦିକ ଧୀରେନ୍ଦ୍ର କୁମାର ମଲ୍ଲିକ, ସମାଜସେବୀ ତଥା ବର୍ଷିୟାନ ଶିକ୍ଷାବିତ ଧିରୁ ଭାଇ, ସାମାଜିକ କର୍ମୀ ଶ୍ରୀକୃଷ୍ଣ ପାତ୍ର ଆଦି ଯୋଗଦାନ କରି ଦୀର୍ଘ ୯୦୦ ଦିନର ନିରବଚ୍ଛିନ୍ନ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ସମ୍ପର୍କରେ ସମୀକ୍ଷା କରିଥିଲେ । ସେହିପରି କେନ୍ଦ୍ରାପଡାର ଦିହୁରିଆରେ ସାନ୍ଧ୍ୟ କାଳୀନ ଦ୍ଵିତୀୟ ପର୍ଯ୍ୟାୟର ସମୀକ୍ଷା ବୈଠକ କରାଯାଇଥିଲା । ଏବେବି ସମଗ୍ର ବିଶ୍ୱରୁ ମହାମାରୀ କରୋନାର ସମ୍ପୂର୍ଣ୍ଣ ବିଲୋପ ଘଟି ନାହିଁ । ଭାରତ ସରକାରଙ୍କ ତଥ୍ୟ ଅନୁଯାୟୀ ଗତ ସେପ୍ଟେମ୍ବର ୫ ତାରିଖ ଦିନ ୫,୯୧୦ ଗୋଟି ନୂଆ ପଜେଟିଭ କେସର ତଥ୍ୟ ମିଳିଛି । ଅନ୍ୟ ଦେଶ ମାନଙ୍କ ତୁଳନାରେ ଭାରତରେ ଏହାର ମାତ୍ରା କମ୍ ଥିଲେ ମଧ୍ୟ ଏହା ଧୀରେ ଧୀରେ ବଢିବା ଆରମ୍ଭ କରୁଛି । ତେଣୁ ବହୁ ମାତ୍ରାରେ ସଚେତନତାର ଆବଶ୍ୟକତା ରହିଛି । ସମଗ୍ର ବିଶ୍ୱରୁ ମହାମାରୀ ହଟିବା ଯାଏ ଏହି ସଚେତନତା, କରୋନା କିଟ୍ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିବା ସହ ଗରିବ, ଅସହାୟ, ଦିବ୍ୟାଙ୍ଗ, ପାଗଳା / ପାଗିଳି, ଅନାଥ, ବୃଦ୍ଧ / ବୃଦ୍ଧା ଆଦିଙ୍କୁ ରିଲିଫ ସାମଗ୍ରୀ ସହ ଅନ୍ୟାନ୍ୟ ସେବା ଯୋଗାଇ ଦିଆଯିବ ବୋଲି ଫାଉଣ୍ଡେସନର ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି ।

Exit mobile version