ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁ ଅଞ୍ଚଳରେ ମୂର୍ତ୍ତି ବିସର୍ଜନ, ପର୍ବପର୍ବାଣି, ରାଲି, ବିବାହ, ବ୍ରତଘରେ ଆଦି ଡ଼ିଜେ ଜୋରସୋରରେ ବାଜୁଥିବା ବେଳେ ନା ରହୁଛି କଟକଣା, ନା ରହୁଛି ସମୟ ଅବଧି । କିଏ ସକାଳୁ ଡ଼ିଜେ ବଜାଉଛି ତ ଆଉ କିଏ ମଧ୍ୟରାତ୍ରି ଯାଏଁ ଡିଜେ ବଜାଉଛି । ତେବେ ଏଥିରେ ଅଧିକ ପ୍ରଭାବିତ ହେଉଛନ୍ତି ଛୋଟ ଶିଶୁ, ବରିଷ୍ଠ ନାଗରିକ ଏବଂ ହୃଦରୋଗୀ । ଏକ ନିର୍ଦ୍ଦିଷ୍ଟ ଡେସିମିଲ ପରିଧି ମଧ୍ୟରେ ଡ଼ିଜେ ବାଜିବା କଥା । ଅନୁରୂପ ଭାବେ ଡ଼ିଜେ ବଜାଇବା ନିମନ୍ତେ ଅନୁମତି ପତ୍ର ମଧ୍ୟ ଉପ-ଜିଲ୍ଲାପାଳଙ୍କ ଠାରୁ ଆଣିବା କଥା । କିନ୍ତୁ ବାଣପୁର-ବାଲୁଗାଁ ଅଞ୍ଚଳରେ ଏହାର ବ୍ୟତିକ୍ରମ ଘଟୁଛି । ସବୁ କଟକଣାକୁ ଜନସାଧାରଣ ମାନେ ଫୁ କରି ଉଡାଇ ଦେଉଛନ୍ତି । ବାଣପୁର ଏକ ପୁରୁଣା ସହର ହୋଇଥିବା ବେଳେ ଏହାର ରାସ୍ତା ଗୁଡ଼ିକ ଅତି ସଂକୀର୍ଣ୍ଣ ଏବଂ ଘର ଗୁଡ଼ିକ ମଧ୍ୟ ବହୁ ପୁରାତନ । ଏହି ପରିସ୍ଥିତିରେ ଯଦି ଉକ୍ତ ରାସ୍ତା ଦେଇ ଜୋର ଶବ୍ଦରେ ଡ଼ିଜେ ବାଜୁଛି ତେବେ ଘରର ଅବସ୍ଥା କଣ ହେବ ତାହା ସହଜରେ ଅନୁମେୟ । ଅନୁରୂପ ଭାବେ ଚଳିତ ବର୍ଷ ଗଣେଶ ପୂଜା ଭଷାଣିରେ ଡ଼ିଜେ ବାଜିବାକୁ ନେଇ ଉକ୍ତ ଅଞ୍ଚଳରେ ଛୋଟ ମୋଟ ଗଣ୍ଡଗୋଳ ମଧ୍ୟ ଉପୁଜିଥିବାର ଦେଖାଯାଇଛି । ତେବେ ଏଥିରେ ଅତିଷ୍ଠ ହୋଇ ଗତକାଲି ବାଣପୁର ଅଞ୍ଚଳର ଜଣେ ଯୁବକ ଖୋର୍ଦ୍ଧା ଏସପିଙ୍କୁ ଟ୍ୱିଟ କରିଥିବାର ମଧ୍ୟ ଦେଖାଯାଇଛି । ପୋଲିସ ପ୍ରଶାସନ ଏବଂ ଉଭୟ ତହସିଲଦାର ଏ ଦିଗରେ ଉଚିତ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହେଉଛି । ତେବେ ଏ ନେଇ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ କହିଛନ୍ତି ପୋଲିସ ଉଭୟ ଅଞ୍ଚଳରେ ଯଥାସମ୍ଭବ ପାଟ୍ରୋଲିଂ ଜାରି ରଖିଛି ଏବଂ ଯଦି ଏପରି ସମସ୍ୟାର କେହି ସମୁଖୀନ ହେଉଛନ୍ତି, ତେବେ ସେ ବ୍ୟକ୍ତି ତୁରନ୍ତ ଏସଡିପିଓ ଙ୍କ ବ୍ୟକ୍ତିଗତ ନମ୍ବର (୯୦୭-୮୯୩-୪୯୩୪) କୁ କଲ କିମ୍ବା ହ୍ଵାଟ୍ସଆପରେ ମେସେଜ କରିବାକୁ ଅନୁରୋଧ କରିଛନ୍ତି । ଏବଂ ଅମାନିଆଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଡିପିଓ ଶ୍ରୀ ବାରିକ କହିଛନ୍ତି ।