ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାଜ୍ଯ ବିଧାନସଭା ସଦାଚାର କମିଟି ପକ୍ଷରୁ ଦିନିକିଆ ଗଜପତି ଜିଲ୍ଲା ଗସ୍ତ କରି ଜିଲ୍ଲାର ଉଚ୍ଚ ପଦାଧିକାରୀଙ୍କ ସହିତ ଜନ ପ୍ରତିନିଧିଙ୍କ ଅଭିଯୋଗ ଉପରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ସମୀକ୍ଷା କରାଯାଇଛି । ବିଧାନସଭା ସଦାଚାର କମିଟିର ସଭାପତି ତଥା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟତଃ ବିଧାନସଭା ପ୍ରଣୀତ ବୁକ୍ ସର୍କୁଲାର-୪୭ ଅନୁଯାୟୀ ଜନ ପ୍ରତିନିଧିଙ୍କ ଚିଠି ପହଞ୍ଚିବା କ୍ଷଣି ତାର ତୁରନ୍ତ ପ୍ରାପ୍ତି ସ୍ବୀକାର ପ୍ରଦାନ କରାଯିବ । ଏଥିପାଇଁ ଜିଲ୍ଲାସ୍ତରରୁ ଆରମ୍ଭ କରି ନିମ୍ନସ୍ତର ପ୍ରର୍ଯ୍ୟନ୍ତ ଉପଯୁକ୍ତ କାର୍ଯ୍ୟାଳୟରେ ଜଣେ ଜଣେ ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ସମନ୍ବୟକାରୀ ଭାବେ ନିଯୁକ୍ତ କରାଯିବ । ସେହିପରି ପ୍ରତ୍ୟେକ ମାସର ଏକ ତାରିଖ ଓ ପନ୍ଦର ତାରିଖରେ ଜିଲ୍ଲାର କାର୍ଯ୍ୟାଳୟ ଗୁଡିକରେ ଜନ ପ୍ରତିନିଧିଙ୍କ ଚିଠି ଗୁଡିକର ସମୀକ୍ଷା ହେବ । ଚିଠିର ସବିଶେଷ ଉତ୍ତର ଦେବା ସମ୍ଭବ ନହେଲେ ଅନ୍ତରୀଣ ଉତ୍ତର ପ୍ରଦାନ କରାଯିବ । ନିର୍ବାଚନ ମଣ୍ଡଳୀର ପ୍ରତେକ ଉନ୍ନୟନ କାର୍ଯ୍ୟର ତାଲିକା ଜନ ପ୍ରତିନିଧିଙ୍କୁ ପ୍ରଦାନ କରାଯିବ । ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ପ୍ରତି ତିନି ମାସରେ ଅନୁଷ୍ଠିତ ହେବ । ବୈଠକର ବିବରଣୀ ପ୍ରତ୍ୟେକ ସଦସ୍ୟ ଓ ନ୍ୟସ୍ତଥିବା ବିଭାଗ ଅଧିକାରୀଙ୍କୁ ପ୍ରଦାନ କରାଯିବ । ପ୍ରତ୍ୟେକ ବିଭାଗର ମୁଖ୍ୟ ଜିଲ୍ଲାସ୍ତରୀୟ ଆହୂତ ବୈଠକରେ ଉପସ୍ଥିତ ରହିବେ । ଏକାଧିକବାର ଅନୁପସ୍ଥିତ ରହିଲେ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯିବ ।

ସଦାଚାର କମିଟି ଅନ୍ତର୍ଭୁକ୍ତ ଚିଠି ଗୁଡିକର ଉତ୍ତର ପ୍ରଦାନ ବ୍ୟବସ୍ଥା ସଂକ୍ରାନ୍ତରେ ବିଚାର କରାଯିବ ବୋଲି ଅଧ୍ୟକ୍ଷ ମତ ପ୍ରକାଶ କରିଥିଲେ । ଗଜପତି ଜିଲ୍ଲା ଛୋଟ ହେଲେ ବି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଅବଦାନ ଜିଲ୍ଲା ତଥା ସାରା ରାଜ୍ୟରେ ପ୍ରସିଦ୍ଧ ବୋଲି କମିଟିର ଅଧ୍ୟକ୍ଷ ଶ୍ରୀ ଶତପଥୀ କହିଥିଲେ । ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, କମିଟିର ସଦସ୍ୟଙ୍କ ମଧ୍ୟରେ ପ୍ରଫୁଲ ସାମଲ, ପ୍ରିତମ୍ ପାଢ଼ୀ, ଅଙ୍ଗଦ କହଁର ଓ ଦାଶରଥି ଗମାଙ୍ଗ ପ୍ରମୁଖ ଯୋଗ ଦେଇ ବିଧାନସଭା ପ୍ରଣୀତ ବୁକ୍ ସର୍କୁଲାର-୪୭ ବିଷୟରେ ଜିଲ୍ଲାର ଉଚ୍ଚ ପଦାଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଜିଲ୍ଲାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବହୁତ ସୁନ୍ଦର ଭାବରେ କାର୍ଯ୍ୟ ହେଉଛି ବୋଲି ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ବିଧାନସଭା ସଦାଚାର କମିଟି ପ୍ରଶଂସା କରିଥିଲେ । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଜିଲ୍ଲାରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ବିଧାନସଭା ସଦାଚାର କମିଟିର ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ଅବଗତ କରାଇଥିଲେ । ବିଧାନସଭା ସଦାଚାର କମିଟି ସ୍ଥାନୀୟ ଜଗନ୍ନାଥ ମନ୍ଦିର ଓ ନିଲାମା ମନ୍ଦିର ପରିଦର୍ଶନ କରିଥିଲେ । ବୈଠକରେ ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ, ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ରମାଞ୍ଚଳ ଖମାରୀ, ଅତିରିକ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଅତିରିକ୍ତ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଲଳିତ କୁମାର କହଁର, ଉପଜିଲ୍ଲାପଳ ଆଲୋକ କୁମାର ପ୍ରଧାନ ସମେତ ଜିଲ୍ଲାର ସମସ୍ତ ଅଧିକାରୀ ଗଣ ଉପସ୍ଥିତ ଥିଲେ ।

