Site icon Awaj Media

ବାଣପୁରର ଅଧିଷ୍ଟାତ୍ରୀ ଦେବୀ ମା’ ଭଗବତୀଙ୍କ ପୀଠରେ ଶାରଦୀୟ ପର୍ବ ଅନୁକୂଳ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁରର ଅଧିଷ୍ଟାତ୍ରୀ ଦେବୀ ମା’ ଭଗବତୀଙ୍କ ପୀଠରେ ଶାରଦୀୟ ପର୍ବ ଆରମ୍ଭ ପାଇଁ ସମସ୍ଥ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଚଳିତ ଆଶ୍ଵିନ କୃଷ୍ଣ ଅଷ୍ଟମୀ ଶନିବାର କନ୍ୟା ସଂକ୍ରାନ୍ତି ଦିନ ଦେବୀ ଶୟନରୁ ଉଠିବେ । ଏହି ଦିନକୁ ମୁଳାଷ୍ଟମୀ କୁହାଯାଏ , ପ୍ରଚଳିତ ପ୍ରାଚୀନ ପରମ୍ପରା ଅନୁସାରେ ସପ୍ତମୀ ଦିନ ବଙ୍କାଡଗଡର ରାଜପରିବାର ଅଧୁନା କୃଷ୍ଣପ୍ରସାଦଗଡ଼ର ରାଜା ସନ୍ତୋଷ କୁମାର ମାନସିଂହ ମର୍ଦ୍ଦରାଜ ମା’ ଭଗବତୀଙ୍କ ମନ୍ଦିର ପୁରୋହିତ ଓ ସେବାୟତଙ୍କୁ ବାଲୁଗାଁଠାରେ ଥିବା ନିଜ ଉଆସରେ ବ୍ରାହ୍ମଣବରଣି କରି ଶକ୍ତି ପୂଜାର ବିଧି ବିଧାନ ସମ୍ପନ୍ନ କରିବାକୁ ଗୁଆ ଚାଉଳ ପଇତା ମନ୍ତୁରାଇ ପୁରୋହିତଙ୍କୁ ପ୍ରଦାନ କରିବା ସହିତ ମା ’ଭଗବତୀଙ୍କ ପର୍ବ ପ୍ରସାଧନ ନିମନ୍ତେ ନୂତନ ପାଟବସ୍ତ୍ର ସହିତ ଚୁଡି ,ଚନ୍ଦନ, ଅଗୁରୁ, ଅତର , ପୁଷ୍ପମାଲ୍ୟ ସହିତ ନୈବେଦ୍ୟ ଅର୍ପଣ କରିଥିଲେ ।

ମା’ଙ୍କ ଶାରଦୀୟ ଷୋଳ ପର୍ବ ଶୃଙ୍ଖଳିତ ଭାବରେ ପାଳିତ ହେବା ପାଇଁ ରାଜା ସାହେବ ପ୍ରାର୍ଥନା କରିବା ସହିତ ରାଜ୍ୟର ଜନ ସାଧାରଣଙ୍କ ମଙ୍ଗଳ ନିମନ୍ତେ ମା’ଙ୍କ ଆଶୀର୍ବାଦ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ଦିର ପୁରୋହିତ ଶାରଦା ପ୍ରସାଦ ସାମନ୍ତରାୟ, ମା ’ଙ୍କ ଆଜ୍ଞାବିଜେ ସେବକ ଭାସ୍କର ନାୟକ, ପାଳିଆ ମାଳି ସେବକ ସୁଧାକର ଭୋପା, ସୁରେନ୍ଦ୍ର ନାୟକ, କାଠି ନାହାକ ପ୍ରତିନିଧି ଗଣେଶ ନାୟକ, ଲିଟନ ଭୋପା, ଦେବୋତ୍ତର କାର୍ଯ୍ୟାଳୟର କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ ଓ ବିଧାୟକଙ୍କ ପ୍ରତିନିଧି ବିକ୍ରମ କେଶରୀ ଜେନା ଉପସ୍ଥିତ ରହି ମା ’ଙ୍କ ପାଖରେ ପ୍ରଦୀପ ପ୍ରଜ୍ଵଳନ ସହିତ ଆଜ୍ଞାମାଳ କରି ଏହାକୁ ଶୁଭାରମ୍ଭ କରିଥିଲେ ।

Exit mobile version