ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଦେବେନ୍ଦ୍ର ବରାଳ : ପୂର୍ବତଟ ରେଳବାଇ ର ଅଦୂରଦର୍ଶୀ ନିଷ୍ପତ୍ତି , ରେଳ ଫାଟକ ବନ୍ଦ ହେଲେ ପ୍ରଭାବିତ ହେବେ ତିନୋଟି ପଞ୍ଚାୟତର ବାସିନ୍ଦା ! ପୂର୍ବତଟ ରେଳବାଇ , ଧଉଳିମୁ଼ହଁ ଷ୍ଟେସନ ନିକଟ ଥିବା 210 ନମ୍ବର ରେଳ ଫାଟକ ଟି କୁ ବନ୍ଦ କରି ଦେବା ପାଇଁ କିଛି ମାସ ପୂର୍ବରୁ ନୋଟିସ୍ ଜାରି କରିଥିଲା । ଏହି ରେଳ ଫାଟକ ଉପରେ ଧଉଳିମୁ଼ହଁ, ବ୍ରଜମୋହନପୁର, ନିଜିଗଡ ତାପଙ୍ଗ ତିନୋଟି ପଞ୍ଚାୟତ ର ଗ୍ରାମବାସୀ ନିର୍ଭର କରିଥାନ୍ତି । ଫାଟକ ଟି ବନ୍ଦ ହେଲେ , ବିଶେଷ କରି ମଧୁପୁର ଗ୍ରାମର ଲୋକମାନେ ଅଧିକ ଭାବେ ଅସୁବିଧା ର ସମୁଖିନ ହେବେ। ରେଳଲାଇନ୍ ର ଅପରପାର୍ଶ୍ବରେ ପୋଖରି, ଶ୍ମଶାନ, ଅଙ୍ଗନବାଡି କେନ୍ଦ୍ର, ତୋଟା ବଗିଚା ରହିଛି । ସେହିପରି 16 ନମ୍ବର ଜାତୀୟ ରାଜପଥ କୁ ସଂଯୋଗ କରୁଥିବା ଏକମାତ୍ର ସ୍ୱଳ୍ପ ଦୂରଗାମୀ ରାସ୍ତା ଅଟେ । ଏହି ଗେଟ୍ ବନ୍ଦ ହେଲେ ଆଖପାଖର ଲୋକ ମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେବେ ।
ରେଳବାଇ ର ନିୟମ ଅନୁସାରେ ଯେଉଁଠି ଗେଟ୍ ବନ୍ଦ କରାଯାଏ , ସେଠାରେ ଭୂତଳ ରାସ୍ତା କିମ୍ବା ଫ୍ଲାଏଓଭର ଦିଆଯିବା କଥା ! କିନ୍ତୁ ରେଳ କର୍ତ୍ତୃପକ୍ଷ ଏହା ନକରି ଗେଟ୍ ର ଅପର ପାର୍ଶ୍ବରେ ଏକ କାମଚଳା ମାଟି ରାସ୍ତା ବିକଳ୍ପ ଭାବେ ଦେଇଛି ଯାହା କି ଲୋକମାନଙ୍କ ର ସ୍ୱାର୍ଥ ବିରୋଧୀ ଅଟେ । ଘଟଣା ସମ୍ପର୍କରେ ବିଧାୟକ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନାହିଁ । ଗେଟ୍ ଏବେ ବି ଚାଲୁ ରହିଥିଲେ ମଧ୍ୟ ରେଳ କତ୍ତୃପକ୍ଷ ଏହା ବନ୍ଦ ହୋଇଯାଇଛି ବୋଲି ଦର୍ଶାଇ ଏକ ଖବର କାଗଜରେ ବିଜ୍ଞାପନ ପ୍ରକାଶ କରିଛି । ଲୋକମାନଙ୍କ ର ସ୍ୱାର୍ଥ କୁ ଦୃଷ୍ଟି ରେ ରଖି ଏହି ଗେଟ୍ କୁ ବନ୍ଦ ନକରିବାକୁ ସ୍ଥାନୀୟ ଗ୍ରାମବାସୀ ଦାବି ରଖିଛନ୍ତି । ଏହା ବନ୍ଦ ହେଲେ ଆଗକୁ ବଡ ଧରଣର ର ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ମାନେ ଚେତାଇ ଦେଇଛନ୍ତି !

