Site icon Awaj Media

ବାଣପୁରରେ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସ୍ବାଧୀନତାର ୭୫ ବର୍ଷ ଆଜାଦି କା ଅମୃତ ମହୋତ୍ସବ ଅବସରରେ ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖ ଠାରୁ ଅହିଂସା ରଥ ରାଜ୍ୟ ବ୍ୟାପି ପରିକ୍ରମା କରୁଥିବା ବେଳେ ଗାନ୍ଧୀ ଜୟନ୍ତୀ ରେ ଭୁବନେଶ୍ଵର ଠାରେ ପହଞ୍ଚିବ । ରଥଟି ଗଞ୍ଜାମ ଜିଲ୍ଲା ପରିକ୍ରମା କରିବା ପରେ ବୁଧବାର ଅପରାହ୍ନ ରେ ଖୋର୍ଦ୍ଧା ଜିଲ୍ଲା ବାଣପୁରକୁ ପ୍ରବେଶ କରିଥିଲା । ରଥକୁ ସ୍ବାଗତ ଜଣାଇବା ପାଇଁ ବାଣପୁର ବିଜ୍ଞାପିତ ଅଞ୍ଚଳ ଓ ପଞ୍ଚାୟତ ସମିତି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରା ଯାଇଥିଲା । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ, ମହିଳା ମିଶନ ଶକ୍ତି ଗୃପ ର ସଦସ୍ୟ, ଏନସିସି, ସ୍କାଉଟ, ରେଡକ୍ରସ, ଅଙ୍ଗନୱାଡ଼ି, ଆଶାକର୍ମୀ ଏବଂ କୁନିକୁନି ପିଲାମାନେ ସାମିଲ ହୋଇଥିଲେ । ରଥକୁ ସମ୍ମାନିତ କରିବା ପାଇଁ ରାସ୍ତାର ବିଭିନ୍ନ ଜାଗାରେ ଝୋଟି ଓ ଫୁଲମାଳ ଗେଟମାନ ନିର୍ମାଣ ହୋଇଥିଲା । ଏହି ଅବସରରେ ୭୫ ମିଟର ଲମ୍ବ ବିଶିଷ୍ଟ ଜାତୀୟ ପତାକାକୁ ଶୋଭାଯାତ୍ରାରେ ସାମିଲ କରାଯାଇଥିଲା । ଏ ନେଇ ନନ୍ଦପୁର ପଞ୍ଚାୟତ ଅଲାଇଡିହ ସ୍କୁଲ ପରିସର ଓ ବାଣପୁର ରଘୁନାଥପୁର ଛକଠାରେ ଏକ ସଭାକାର୍ଯ୍ୟ ଆୟୋଜନ କରା ଯାଇଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତିଙ୍କ ସମେତ ବିଭିନ୍ନ ପ୍ରଶାସନିକ ଅଧିକାରୀ ଓ ଛାତ୍ରଛାତ୍ରୀ ମାନେ ଏହି ଅହିଂସା ରଥକୁ ଭବ୍ୟ ସ୍ବାଗତ ଦେଇ ପାଛୋଟି ନେଇଥିଲେ । ଏହି ରଥ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ଓ ପୈରାଞ୍ଚଳରେ ଥିବା ପର୍ଯ୍ୟଟନ ସ୍ଥଳୀ, ତୀର୍ଥ ସ୍ଥଳୀ, ମହାପୁରୁଷଙ୍କ ଐତିହାସିକ ସ୍ଥଳ ଏବଂ ସ୍ମାଟ ହାଇସ୍କୁଲ ଗୁଡ଼ିକୁ ଆଦି ପରିଭ୍ରମଣ କରିବା କାର୍ଯ୍ୟକ୍ରମ ରହିଛି ।

Exit mobile version