Site icon Awaj Media

କଟକରେ ପହଞ୍ଚିଲା ନଦୀ ସୁରକ୍ଷା ଯାତ୍ରା ଅଭିଯାନ !!!

Spread the love

କଟକ ( ଆୱାଜ ମିଡିଆ ) – ଅମ୍ରିତା ପଟ୍ଟନାୟକ : ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରାୟ, ଗବେଷକ ଡଃ ବ୍ରତୀନ୍ଦି ଜେନା, ଲୋକଶକ୍ତି ଅଭିଯାନର କଲ୍ୟାଣ ଆନନ୍ଦ ଓ ରାଷ୍ଟ୍ରୀୟ ଯୁବା ସଂଗଠନର ମାନସ ପଟ୍ଟନାୟକଙ୍କ ନେତୃତ୍ବରେ ଗତ ସେପ୍ଟେମ୍ବର ୨୩ ତାରିଖ ରୁ ବାଲେଶ୍ବରର ସୋନ, ଗଙ୍ଗାହାର ଓ ବୁଢାବଳଙ୍ଗର ତ୍ରିବେଣୀ ସଙ୍ଗମରୁ ଆରମ୍ଭ ହେଇଥିବା ନଦୀ ସୁରକ୍ଷା ଯାତ୍ରା ସୁବର୍ଣ୍ଣରେଖା, ବୈତରଣୀ, ଦୟା, ଭାର୍ଗବୀ ଓ ଗଙ୍ଗୁଆ ନାଳ ପରିଦର୍ଶନ କରି ବିଶ୍ବ ନଦୀ ଦିବସରେ କଟକଠାରେ ପହଞ୍ଚିଥିଲା । କଟକ ଜିଲ୍ଲା ସର୍ବୋଦୟ ମଣ୍ଡଳ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ମହାନଦୀ ପୂଜନ କମିଟି ଓ ରାଷ୍ଟ୍ରୀୟ ଯୁବା ସଂଗଠନ ତରଫରୁ ଗଡଗଡିଆ ଘାଟ ନିକଟରେ ଯାତ୍ରାକୁ ସ୍ବାଗତ କରାଯାଇ ନଦୀ ଆମର ମାଆ, ତାହାର ସୁରକ୍ଷା ଆମର ଦାବୀ, କର୍ପୋରେଟ ଓ ସରକାରୀ କବଜାରୁ ନଦୀକୁ ମୁକ୍ତ କରିବା ଦେଶର ଡାକ, ପ୍ରଦୂଷଣମୁକ୍ତ ନଦୀ ସଭ୍ୟ ସମାଜର ଲକ୍ଷଣ ଆଦି ସ୍ଲୋଗାନ ଦେଇ ମହାନଦୀ ଜଳ ପ୍ରବାହ ନିକଟରେ ପହଞ୍ଚିଥିଲା । କଟକ ଜିଲ୍ଲା ସର୍ବୋଦୟ ମଣ୍ଡଳର ସଭାପତି ବିଶ୍ବଜିତ ସୂର୍ଯ୍ୟବଂଶୀଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ପ୍ରଫୁଲ୍ଲ ସାମନ୍ତରାୟ କହିଲେ ଯେ ଆମ ଦେଶର ଜଳ ଓ ପରିବେଶ ସୁରକ୍ଷା ପାଇଁ କେତେକ ଆଇନ ଥିବାବେଳେ ସ୍ବାଧୀନତାର ପଞ୍ଚସ୍ତରୀ ବର୍ଷ ବିତିବା ପରେ ବି ନଦୀ ସୁରକ୍ଷା ଆଇନ ଅଦ୍ୟାବଧି ତିଆରି ହୋଇନାହିଁ । ଏହାର ସୁଯୋଗ ନେଇ ସରକାର ଓ କର୍ପୋରେଟ ମାନେ ନଦୀ ଜଳ ଲୁଟିନେବା ସହ ଏହାକୁ ପ୍ରଦୁଷିତ କରିବାରେ ଲାଗିଛନ୍ତି । ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ବୟ (ଏନଏପିଏମ) ପକ୍ଷରୁ ଓଡିଶା ସମେତ ଦେଶର ସମସ୍ତ ନଦୀ ଓ ଜଳ ଉତ୍ସମାନଙ୍କର ସର୍ବେକ୍ଷଣ କରାଯାଇ କେନ୍ଦ୍ର ସରକାରଙ୍କ ପାଖରେ ତଥ୍ୟ ଉପସ୍ଥାପନ କରାଯିବା ସ୍ଥିର ହୋଇଛି । ଏଥିସହ ସରକାର ଏକ ଦୃଢ ନଦୀ ସୁରକ୍ଷା ଆଇନ ତିଆରି କରିବା ପାଇଁ ଦାବୀ କରାଯିବ ବୋଲି ଶ୍ରୀ ସାମନ୍ତରାୟ କହିଥିଲେ । ମହାନଦୀ ସମେତ ଓଡିଶାର ଉପକୂଳ ଅଞ୍ଚଳର ନଦୀ ସବୁ ମୃତପ୍ରାୟ ଅବସ୍ଥାରେ ଥିବା କଥା ଯାତ୍ରା ପକ୍ଷରୁ ଅନୁଧ୍ୟାନ କରାହୋଇଛି ବୋଲି ସେ କହିଥିଲେ । ଏହି ଯାତ୍ରାକୁ ଜୟନ୍ତ କୁମାର ଦାସ, ଦୀପିୟନ ପଟ୍ଟନାୟକ, ଡଃ ବିଶ୍ବଜିତ, ମିହିର ପ୍ରତାପ ଦାସ, ଜ୍ଞାନ ରଞ୍ଜନ ସାମନ୍ତରାୟ, ସାଗର ଦାସ, ଅଶ୍ବିନୀ କୁମାର ମହାରଣା, ଗଙ୍ଗାଧର ବେହେରା, ମହେଶ ରାୟ, ଜ୍ଞାନ ରଞ୍ଜନ ସ୍ବାଇଁ, ପ୍ରମୋଦ କୁମାର ଦାସ, ପ୍ରିୟବ୍ରତ ପଟ୍ଟନାୟକ, ଗୌରବ ଜୈନ ପ୍ରମୁଖ ସ୍ବାଗତ କରିବା ସହ ନଦୀ ଆନ୍ଦୋଳନକୁ ମଜଭୁତ କରିବାକୁ ଘୋଷଣା କରିଥିଲେ ।

Exit mobile version