ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ମହାମାରୀ କରୋନା ବିଶ୍ବ କୁ ଦୋହଲାଇ ଦେଇଥିଲା । ଯାହାକୁ ଚିହ୍ନି ପାରିଲେ ନାହିଁ ଡାକ୍ତର । କିନ୍ତୁ ଏକଥା କାହିଁ କାଳରୁ ମାଳିକା ରେ ବର୍ଣ୍ଣିତ ଥିଲା , ଅଛୁଆଁ ରୋଗ ସେ ଆସିବ , ମୁହେଁ ବାନ୍ଧିବେ ତୁଣ୍ଡି, ମାଳିକା ବଚନ ନହୋଇବ ଆନ । ବର୍ଷା ଋତୁରେ ସମସ୍ତ ଗଛ ଲତାରେ ଏବେ ଛନଛନିଆ ପତ୍ର ସାଙ୍ଗକୁ ଗଙ୍ଗଶିଉଳି ଫୁଲ ର ବାସ୍ନା ରେ ମହକୁଛି ଧରା । କିନ୍ତୁ ଏହା ଭିତରେ ଲଣ୍ଡା ସୁକ୍ଳ ଥୁଣ୍ଟା ବଟବୃକ୍ଷ ର ଚେହେରା ଆଚମ୍ବିତ କରୁଛି ଶ୍ରଦ୍ଧାଳୁ ନୟନ ପରଶ । ଆମେ କହୁଛୁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠର ମହାକଳ୍ପବୃକ୍ଷ କଥା । ଯାହା କି କେଉଁ କାଳ ର ବୃକ୍ଷ ଜାଣିବା ଆମ୍ଭ ପକ୍ଷେ କଷ୍ଟସାଧ୍ୟ ! ଏ ପୀଠକୁ ଆସୁଥିବା ଅଗଣିତ ଶ୍ରଦ୍ଧାଳୁଙ୍କ ଆସ୍ଥା, ବିଶ୍ୱାସ ଓ ଶ୍ରଦ୍ଧା ଭାବନାରେ ଗଭୀର ଆଘାତ ଆଣିଛି ବିଶାଳ ବରଗଛର ଏଭଳି ପତ୍ରଝଡ଼ା ରୂପ । ଏ ପୀଠରେ ଯାହା ଆଗରୁ କେହି କେବେ ଦେଖି ନଥିଲେ କି ଶୁଣି ନଥିଲେ, ଏବେ ତାହା ହିଁ ଘଟିଛି । ଏକ ସପ୍ତାହ ତଳେ ସବୁଜ ପତ୍ର ଗହଳରେ ଭରପୁର ଥିବା ଗଛଟି ହଠାତ ସମ୍ପୂର୍ଣ୍ଣ ପତ୍ରଶୂନ୍ୟ ହୋଇପଡ଼ିଛି । ଏପଟେ ମହାକଳ୍ପବଟର ଏଭଳି ଆକସ୍ମିକ ରୂପ ଦେଖି, ଏହାକୁ ନେଇ ଶ୍ରଦ୍ଧାଳୁ ମାନଙ୍କ ମନରେ ସୃଷ୍ଟି ହୋଇଛି ନାନା ଆଶଙ୍କା ।
ସିଦ୍ଧି ପୁରୁଷ ମାଳିକା ରଚୟିତା ମହାପ୍ରଭୁ ଅଚ୍ୟୁତାନନ୍ଦ ଦାସ ଙ୍କ ପୀଠରେ ଏ ମହାପ୍ରଭୁଙ୍କ ଲୀଳା ନାଁ ବିଶ୍ଵ ବିପଦ ଆଗମନ ର ବାର୍ତ୍ତା ବହନ କରୁଛି ? ନାଁ ମାଳିକା ବଚନ ସତ ହେବା କୁ ଯାଉଛି ! ଶେଷ ହୋଇଯିବକି କଳିଯୁଗ ? ଯାହାକୁ ନେଇ ଏବେ ଭକ୍ତଙ୍କ ମନରେ ଭୟ ଓ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଅଚ୍ୟୁତାନନ୍ଦ ପୀଠରେ ଏବେ ଖାଲି ନିତୀକାନ୍ତି ହେଉଥିବା ବେଳେ ନାଁ ଅଛି ହରିବୋଲ, ନାଁ ହୁଳହୁଳି, ନାଁ ଅଛି ଦୀପ ! ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଦର୍ଶନ ବନ୍ଦ କରାଯିବା ସହିତ ଭୋଗ ଦୋକାନ ମଧ୍ୟ ବନ୍ଦ କରାଯାଇଛି । ଖାଆଁ ଖାଆଁ ଏବେ ପଦ୍ମବନ ପୀଠ । ଅପରପକ୍ଷରେ ଉଦ୍ୟାନ ବିଭାଗ ନେମାଳ ଅଚ୍ୟୁତାନନ୍ଦ ଙ୍କ ପୀଠରେ ପହଞ୍ଚି ପତ୍ର ଝଡ଼ିବାର କାରଣ ଏକ ପ୍ରକାର ପୋକ ଲାଗିବା କାରଣରୁ ହୋଇଛି ବୋଲି ମତାମତ ଦେଇଛି ! ଉଦ୍ୟାନ ବିଭାଗ ପକ୍ଷରୁ ଅଗ୍ନିଶମ ବିଭାଗ ଦ୍ଵାରା ବଟବୃକ୍ଷ ରେ କିଟନାଶକ ଔଷଧ ଛିଞ୍ଚନ କରାଯାଉଛି । ବହୁତ ଶୀଘ୍ର ଗଛରେ ନୂତନ ପତ୍ର ଜନ୍ମ ନେବ ବୋଲି ଉଦ୍ୟାନ ବିଭାଗ ପକ୍ଷରୁ କୁହାଯାଇଛି ।

