Site icon Awaj Media

ଉଦଯାପିତ ହେଲା ବାଙ୍କୀ ମହୋତ୍ସବ ୨୦୨୨ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ର ଗଣପର୍ବ କୁମାର ପୂର୍ଣ୍ଣିମା ଅବସରରେ ଆୟୋଜିତ ବାଙ୍କୀ ମହୋତ୍ସବ ୨୦୨୨ ଉଦଯାପିତ ହୋଇଯାଇଛି ! ବାଙ୍କୀ ମହୋତ୍ସବର ଉଦଯାପନ ସନ୍ଧ୍ୟାରେ କଚେରୀ ପଡିଆ ଠାରେ ଏକ ସାଧାରଣ ସଭା ମହୋତ୍ସବ ପ୍ରତିଷ୍ଠାତା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ସନ୍ଦିପନି ଗୁରୁକୁଳ ଅନୁଷ୍ଠାନ ଦ୍ୱାରା ସଙ୍ଗୀତ ଗାନ ପରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାକାର୍ଯ୍ଯ ଆରମ୍ଭ କରାଯାଇଥିଲା । ବିଜ୍ଞାନ ଓ କାରିଗରି, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଓଡିଶା ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। କଟକ ଚୌଦ୍ବାର ର ଯୁବ ବିଧାୟକ ସୌଭିକ ବିଶ୍ବାଳ, ମହୋତ୍ସବ କମିଟିର ଉପ ସଭାପତି ଭାଗିରଥି ବିଶ୍ବାଳ, ମହୋତ୍ସବ କମିଟିର ଉପ ସଭାପତି ଅନୁପ ବଥୁଆଲ, ମହୋତ୍ସବ କମିଟିର ଉପ ସଭାପତି ପୂର୍ଣ୍ଣଚନ୍ଦ୍ର ମିଶ୍ର , ଅତିରିକ୍ତ ଜିଲ୍ଲାପାଳ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ସେହିପରି ଶିକ୍ଷାବିତ୍ ତଥା ଭାଷାବିତ ମୃତ୍ୟୁଞ୍ଜୟ ରଥ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ । ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ମହୋତ୍ସବ କମିଟିର ସାଧାରଣ ସଂପାଦକ ଡଃ ଗଣେଶ୍ବର ସ୍ବାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ !

ବାଙ୍କୀର ଉଚ୍ଚ ସାଂସ୍କୃତିକ ଐତିହ୍ୟର ପ୍ରସାର ଓ ପ୍ରଚାର ଲକ୍ଷ୍ୟ ନେଇ ମହୋତ୍ସବ ଆରମ୍ଭ ହୋଇଛି । ଉଚ୍ଚକୋଟୀର ସାଂସ୍କୃତିକ ବାତାବରଣ ମଧ୍ୟରେ ନୃତ୍ୟ ସଙ୍ଗୀତ ମୁଖରିତ ଉତ୍ସବଟି କଳାରେ ଋଚି ରଖୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଶ୍ଚିତ ରୂପେ ଆକର୍ଷିତ କରିବ । ଏହା କେବଳ ଉତ୍ସବ ନୁହେଁ, ସାଂସ୍କୃତିକ ଭାବ ବିନିମୟର ଗୋଟିଏ ପ୍ରକୃଷ୍ଠ ମଞ୍ଚ । ପାରମ୍ପରିକ କଳାର ଗୁଣାତ୍ମକ ଅଭିବୃଦ୍ଧି ହେବା ସହିତ କଳାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବାରେ ଏହା ସକ୍ଷମ ହେବ । ବହୁ ଯୋଗଜନ୍ମା ପ୍ରତିଭାଧାରଙ୍କ ଜନ୍ମଭୂମି ଓ କର୍ମଭୂମି ଭାବେ ବାଙ୍କୀ ଖୁବ୍ ପ୍ରସିଦ୍ଧ । ଆଜି ମଧ୍ୟ ବାଙ୍କୀ ବହୁ ଅନାବିଷ୍କୃତ, ଲୁକ୍କାୟିତ ପ୍ରତିଭାଙ୍କ ଗନ୍ଥାଘର । ବାଙ୍କୀ ମହୋତ୍ସବ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ବୁଦ୍ଧିମନ୍ତ କରିବାରେ ସହାୟକ ହେବ ଓ ଲୁକାୟିତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିପାରିବ । ଗୌରବମୟ ଅତୀତର ରୋମନ୍ଥନ ସହ ଯୁବପିଢୀଙ୍କୁ ନିଜ ଜନ୍ମମାଟିର ଐତିହ୍ୟ ସମ୍ପର୍କରେ ଅବଗତ କରାଇବା ଦିଗରେ ବାଙ୍କୀ ମହୋତ୍ସବ ଏକ ଅଭିନବ ପଦକ୍ଷେପ । ଓଡ଼ିଶାର ରାଜନୈତିକ, ସାମାଜିକ , ସାଂସ୍କୃତିକ ଓ ଆଧ୍ୟାତ୍ମୀକ କାର୍ଯ୍ୟରେ ବାଙ୍କୀର ଅବଦାନ ଉଲ୍ଲେଖନୀୟ ।

ମା’ଚର୍ଚ୍ଚିକାଙ୍କ ବାସସ୍ଥଳି ବାଙ୍କୀ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତ ବର୍ଷରେ ଏକ ପ୍ରମୁଖ ଶକ୍ତି ପୀଠ ଭାବେ ପରିଗଣିତ । ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ସେନାପତି ଭାବେ ପଣ୍ଡିତ ଗୋବିନ୍ଦ ରଥ ଓ ନୀଳମଣି ବିଦ୍ୟାରତ୍ନ ମଧ୍ୟ ଏହି ମାଟିରେ ଜନ୍ମ ନେଇଥିଲେ । ସର୍ବୋପରି ବାଙ୍କୀର ରାଣୀ ଶୁକଦେଈଙ୍କ ଅଦ୍ଭୂଦପୂର୍ବ ଦେଶପ୍ରେମ, ତ୍ୟାଗ ଓ ବିରତ୍ୱର ପଟ୍ଟାନ୍ତର ନାହିଁ । ବିଧାୟକ ତଥା ମହୋତ୍ସବର କାର୍ଯ୍ୟକାରୀ ସଭାପତି ଦେବୀରଞ୍ଜନ ତ୍ରିପାଠୀ କହିଲେ ଯେ ବାଙ୍କୀର ମହାନ କଳା , ଐତିହ୍ୟ, ସାଂସ୍କୃତିକ ଚେତନା ସହ ଜନଗଣଙ୍କୁ ସାମିଲ୍ କରାଇବା ଓ ଆମ ପରପିଢୀର ବଂଶ ଧର ମାନଙ୍କୁ ଏହି ଭାବଧାରା ସହ ପରିଚିତ କରାଇବା ଉଦ୍ଦେଶ୍ୟରେ ହିଁ ବାଙ୍କୀ ମହୋତ୍ସବ ଅନୁଷ୍ଠିତ ହେଉଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ମହୋତ୍ସବ ପାଳନ ହେବା ନିମନ୍ତେ ବାଙ୍କୀ ଅଗ୍ରଣୀ ଭୂମିକା ନିଭାଇ ଦିଗ୍ ଦର୍ଶନ ଦେଇପାରିଛି । ମହୋତ୍ସବକୁ ୨୨ ବର୍ଷ ପୁରି ୨୩ ବର୍ଷ ଚାଲିଲା । ବାଙ୍କୀ ମହୋତ୍ସବର ଉଦଯାପନ ଅବସରରେ ବାଙ୍କୀ ମହୋତ୍ସବ ସ୍ମରଣିକା ଉନ୍ମୋଚିତ ହୋଇଥିଲା ! “ବାଙ୍କୀ ମହୋତ୍ସବ ସ୍ମରଣିକା” ସ୍ବର୍ଗତ ତ୍ରିଲୋଚନ ରାଉତ ଓ ଦିବଂଗତ ସାମ୍ବାଦିକ ଲକ୍ଷ୍ମୀଧର ବେହେରା ଙ୍କ ଉଦେଶ୍ଯରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ସଂପାଦକ ଶ୍ରୀନିବାସ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମହୋତ୍ସବ ଶେଷ ସନ୍ଧ୍ୟା ର ମୁଖ୍ୟ ଆକର୍ଷଣ ଥିଲେ ଓଡିଶାର ସୁନାମଧନ୍ଯା କଣ୍ଠଶିଳ୍ପୀ ଦିପ୍ତୀରେଖା ପଢୀ। ଆନନ୍ଦ ଉଲ୍ଲାସ ଆଗ୍ରହ ଉତ୍ସାହ ଏବଂ ପ୍ରବଳ ଜନଗହଳି ରେ ଶେଷ ହୋଇଛି ବାଙ୍କୀ ମହୋତ୍ସବ !

 

 

Exit mobile version