Site icon Awaj Media

ଚେନ୍ନାଇ କାମ କରିବାକୁ ଯାଇଥିଲେ ଯୁବକ : ଗାଁ ‘ କୁ ଫେରିଲା ମୃତଦେହ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଚେନ୍ନାଇ କାମ କରିବାକୁ ଯାଇଥିବା ଜଣେ ଯୁବକଙ୍କ ମୃତଦେହ ରବିବାର ନିଜ ଗାଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତର ସାସିଗାଡ଼ାରେ ପହଞ୍ଚିଛି । ସେ ହେଲେ ଉକ୍ତ ଗାଁର ବିପିନ ମଲ୍ଲିକଙ୍କ ପୁଅ ରତନ ମଲ୍ଲିକ (୧୮) । ସୂଚନାଯୋଗ୍ୟ, ଯେ, ରତନ କିଛିମାସ ତଳେ ଚେନ୍ନାଇ ଯାଇ ଏକ ଆଲୁମିନା କମ୍ପାନୀରେ କାର୍ଯ୍ୟ କରୁଥିଲେ । ଗତ ବୁଧବାର ତାଙ୍କ ଦେହ ଅସୁସ୍ଥ ହୋଇ ପଡ଼ିଥିଲା । ତେଣୁ ସେ ଗ୍ରାମକୁ ଆସିବା ପାଇଁ କମ୍ପାନୀରୁ ଏକ ବସ୍‌ ଯୋଗେ ରେଳଷ୍ଟେସନ ଆସୁଥିଲେ । ହେଲେ ରାସ୍ତାରେ ରତନଙ୍କ ମୃତ୍ୟୁ ଘଟିଥିଲା। ବସ୍‌ କର୍ମଚାରୀଙ୍କ ଠାରୁ ଖବର ପାଇ ସେଠାକାର ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ରତନଙ୍କ ପରିବାର ଏବଂ କମ୍ପାନୀକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲା । ହେଲେ ଦାରିଙ୍ଗବାଡ଼ି ଅଞ୍ଚଳର କାର୍ଯ୍ୟରତ କିଛି ଶ୍ରମିକ ଏବଂ ଉକ୍ତ କମ୍ପାନୀର କର୍ମଚାରୀ ଥାନାରେ ପହଞ୍ଚି ରତନଙ୍କୁ ଚିହ୍ନଟ କରିବା ସହ ଲିଖିତ ଭାବେ ଜଣାଇବା ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ଗାଁକୁ ଆଣିବା ପାଇଁ ସମସ୍ତ ଆଇନଗତ ପ୍ରକ୍ରିୟା କରାଯାଇଥିଲା । କମ୍ପାନୀର ସହଯୋଗ କ୍ରମେ କାର୍ଯ୍ୟରତ ଶ୍ରମିକ ମାନେ ମୃତଦେହ ଧରି ସାସିଗାଡ଼ାରେ ପହଞ୍ଚିଥିଲେ । ଘରେ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ବିଡିଓ ଗଦାଧର ପାତ୍ର ରତନଙ୍କ ପରିବାର ଲୋକଙ୍କୁ ରେଡ୍‌କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ସହାୟତା ଚେକ୍‌ ଆକାରରେ ପ୍ରଦାନ କରିଛନ୍ତି ।

Exit mobile version