ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ବେଗୁନିଆ ବ୍ଲକ ଦୁର୍ଗାପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୁଡୁମ ଗ୍ରାମର ସ୍ବର୍ଗତ ଜୟକୃଷ୍ଣ ମହାରଣାଙ୍କ ହତଭାଗୀନି ପତ୍ନୀ ହେଉଛନ୍ତି କୁନି ମହାରଣା I ସ୍ୱାମୀ ଥିବା ସମୟରେ ନିଜର ବାସଗୃହ ନଥିବାରୁ ଏକ ଭଡା ଘରେ ରହୁଥିଲେ ସେ ଦୁହେଁ ଏବଂ ନିଜର ସନ୍ତାନ ଟିଏ ନଥିବାରୁ କେଉଁଠାରୁ ପାଇ ଆଣିଥିବା ଏକ ଝିଅଟିକୁ ନିଜ ପାଳିତ ସନ୍ତାନ ଭାବେ ଗ୍ରହଣ କରିଥିଲେ ସେମାନେ I ସ୍ୱାମୀ କମାରଶାଳ ଟିଏ କରି ଯେଉଁ ଦି ପଇସା ରୋଜଗାର କରନ୍ତି, ସେଥିରେ ବେଶ ଖୁସିରେ କଟିଯାଉଥିଲା ସେମାନଙ୍କର ଜୀବନ ! କିନ୍ତୁ ଦଇବ ସାଜିଲା ବାଧକ, ଗତବର୍ଷ ସ୍ୱାମୀ ଅଜଣା ରୋଗରେ ଚାଲିଯିବା ପରେ ବାସହରା ହୋଇ ଯାଇଛନ୍ତି ମା’ ଝିଅ I ନିଜର ନା ଘରଟିଏ ଅଛି କି ଭଡ଼ାଘରେ ରହିବା ପାଇଁ ପାଖରେ ଅଛି ଧନ I ଆଶ୍ରୟ ପାଇଁ ସାହାରା ପାଲଟିଛି ପଞ୍ଚାୟତ ଧାନମଣ୍ଡି ଘରର ବାରଣ୍ଡା I ଦିନକୁ ଦି ମୁଠା ଖାଦ୍ୟ ସଂଗ୍ରହ କରିବା ପାଇଁ ପର ପାଖରେ ହାତ ପତାଇବାକୁ ପଡିଥାଏ ମା’ ଝିଅ ଦୁହିଁଙ୍କୁ I ମା’ ବର୍ଷେ ହେବ ବିଧବା ହେଲେଣି ଏହା ସହ ଝିଅଟି ପଞ୍ଚସ୍ତରୀ ଭାଗ ମାନସିକ ଭିନ୍ନକ୍ଷମ ! ପ୍ରମାଣ ପତ୍ର ପାଇଥିଲେ ମଧ୍ୟ ନା ମିଳୁଛି ମଧୁବାବୁ ଭତ୍ତା ନା ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ I ତେବେ ସରକାର ଗରିବ ମାନଙ୍କ ପାଇଁ କରିଥିବା ମାଳମାଳ ଯୋଜନା କାହାପାଇଁ ? ଆଜି ସିନା ପର ଦୟାରେ ସେମାନଙ୍କ ଦିନ କଟିଯାଉଛି, କାଲି ଯେତେବେଳେ ବୃଦ୍ଧା ମା ଆରପାରିକୁ ଚାଲିଯିବ ଏବଂ ସେ ଝିଅ ଛୋଟରୁ ବଡ଼ ହେବ କେତେ ସୁରକ୍ଷିତ ରହିବ ତା ଜୀବନ ?
ବାଟ ହୁଡ଼ିଛି ଯୋଜନା : ପ୍ରକୃତ ହିତାଧିକାରୀ ସହାୟତାରୁ ବଞ୍ଚିତ !!!

