Site icon Awaj Media

ନୟାଗଡ଼ରେ ନିଯୁକ୍ତି ମେଳା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲାର ନୟାଗଡ଼, ଦଶପଲ୍ଲା, ଓଡ଼ଗାଁ, ରଣପୁର, ନୂଆଗାଁ ବ୍ଲକର ୧୮ ରୁ ୩୫ ବର୍ଷର ଯୁବକ ଯୁବତୀମାନଙ୍କର ବିଭିନ୍ନ କମ୍ପାନୀରେ ନିଯୁକ୍ତି ନିମନ୍ତେ ପୋଲିସ ଟ୍ରେନିଂ ପଡ଼ିଆରେ ଆଜି ଏକ ନିଯୁକ୍ତି ମେଳା ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାକୁ ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍‌ଘାଟନ କରିଥିଲେ । ପରେ ଜିଲ୍ଲା ନିୟୋଜନ ଅଧିକାରୀ ଦୁର୍ଗା ଚରଣ ଦାସଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସୁବାସ ଚନ୍ଦ୍ର ରାୟ, ଅଧ୍ୟକ୍ଷ ସରକାରୀ ପଲିଟେକନିକ୍ ଓଡ଼ଗାଁ, ଅଧ୍ୟକ୍ଷ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଖୁଟୁବନ୍ଧ, ଡି.ପି.ଏମ(ଓ.ଏଲ.ଏମ) ସଂଜୟ କୁମାର ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ, ଜିଲ୍ଲା ସଂଯୋଜକ ଦକ୍ଷତା ଅବିନାଶ ଜେନା ଉପସ୍ଥିତ ରହି ନିଯୁକ୍ତି ମେଳା ଉପରେ ନିଜ ନିଜର ଅଭିମତ ରଖିଥିଲେ । ସର୍ବଶେଷରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାପତିଙ୍କ ଅନୁମତି କ୍ରମେ ସଭା ସାଙ୍ଗ କରିଥିଲେ । ଏହି ନିଯୁକ୍ତି ମେଳାକୁ ୧୨ ଗୋଟି ସଂସ୍ଥା ସିଧା ସଳଖ ନିଯୁକ୍ତି ଦେବା ପାଇଁ ଆସିଥିଲା ବେଳେ ୫ଗୋଟି ସଂସ୍ଥା ଟ୍ରେନିଂ ଦେବା ପାଇଁ ଆସିଥିଲେ । ଆଜି ଉପରୋକ୍ତ ୫ ଗୋଟି ବ୍ଲକରୁ ୬୫୪ ଜଣ ପ୍ରାର୍ଥୀଙ୍କର ନିଯୁକ୍ତି ନିମନ୍ତେ ନାମ ପଂଜୀକରଣ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪୯୮ ପ୍ରାର୍ଥୀ ସିଧାସଳଖ ନିଯୁକ୍ତି ପାଇଁ ଦରଖାସ୍ତ କରିଥିବା ବେଳେ ୧୨୫ ପ୍ରାର୍ଥୀ ତାଲିମ ପାଇଁ ଦରଖାସ୍ତ କରିଥିଲେ ।

Exit mobile version