ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ବେଗୁନିଆ ବ୍ଲକ ପରିସରରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ନିମନ୍ତେ ପ୍ରାର୍ଥୀ ଚୟନ କରାଯାଇଥିଲା l ପୂର୍ବରୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ନିମନ୍ତେ ଆବେଦନ କରିଥିବା ବିଭିନ୍ନ କଳାକାର ମାନଙ୍କର କଳା ନିପୁଣତାକୁ ପରୀକ୍ଷା କରିବା ପାଇଁ ବ୍ଲକ ପ୍ରଶାସନ ତରଫରୁ ଉକ୍ତ କାର୍ଯ୍ୟକ୍ରମ କରାଯାଇଥିଲା l ଏଥିରେ ବ୍ଲକର ମୋଟ 137 ଜଣ କଳାକାର ଭାଗ ନେବା ସହ , କଳାକ୍ଷେତ୍ରରେ ଥିବା ନିଜ ନିଜ ଦକ୍ଷତା ପ୍ରତିପାଦନ କରିଥିଲେ l
ଏଥିରେ ଘୋଡାନାଚ, ପାଲା, ଦାଶକାଠିଆ, ସଂକୀର୍ତ୍ତନ , ପାଇକ ଆଖଡ଼ା, ପଟ୍ଟଚିତ୍ର ଶିଳ୍ପ , କାଗଜମୁଖା ତିଆରି, ମଞ୍ଚ କଳାକାର, ପ୍ରବଚନ, ତବଲା ଓ ମୃଦଙ୍ଗ ବାଦନ ଆଦି ବିଭିନ୍ନ କଳାକାର ମାନେ ଭାଗ ନେଇଥିଲେ l ବିଲୁପ୍ତ ହୋଇ ଆସୁଥିବା, ଏପରି କଳାକୁ ବଞ୍ଚାଇ ରଖିବା ବାସ୍ତବିକ କେତେଯେ କଷ୍ଟସାଧ୍ୟ, ତାହା ଏହି ଚୟନ ପ୍ରକ୍ରିୟାରୁ ବେଶ ବାରି ହେଉଥିଲା l ବୃଦ୍ଧ ବୟସରେ ନିଜ କଳାକୁ ନେଇ ସହାୟତା ମିଳିବ, ଏକଥା ଶୁଣି କଳାକାର ମାନେ ବେଶ ଖୁସି ଅନୁଭବ କରିବା ସହ ଆଗାମୀ ଦିନରେ ଉକ୍ତ କଳା ଗୁଡିକ ଉଜ୍ଜୀବିତ ରହିବ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଥିଲା l

