Site icon Awaj Media

ରାସ୍ତା ମରାମତି ଓ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବାକୁ ନେଇ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ସ୍ମାରକପତ୍ର !!!

Spread the love

ପାରଳାଖେମୁଣ୍ତି ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପାରଳାଖେମୁଣ୍ତିର ମୁଖ୍ୟ ରାସ୍ତା କାମ କାଗଜ ପତ୍ରରେ ସରିଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା । ରାସ୍ତା କାମରେ ବ୍ୟାପକ ଦୁର୍ନୀତି ତଥା ନିମ୍ନ ମାନର କାର୍ଯ୍ୟ ଯୋଗୁଁ ରାସ୍ତା କାମ ସମ୍ପର୍ଣ୍ଣ ହେବା ପୂର୍ବରୁ ମରାମତିର ଆବଶ୍ୟକତା ପଡୁଛି । ସହରକୁ ମୁଖ୍ୟ ପ୍ରବେଶ ରାସ୍ତା ଫରେଷ୍ଟ ଗେଟରୁ ପୋଲିସ ଷ୍ଟେସନ ପର୍ଯ୍ୟନ୍ତ ରାସ୍ତା କାମ ନିକଟ ଅତୀତରେ ସରିଥିବା ବେଳେ ବର୍ତ୍ତମାନ ରାସ୍ତାରୁ ପିଚୁ ବାହାରି ଯାଇ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଛି । ଯାହା ଏହି ସମୂର୍ଣ୍ଣ ରାସ୍ତାଟିକୁ ଦୁର୍ଘଟଣା ପ୍ରବଣ କରାଉଛି । ଅପରପକ୍ଷେରେ ବସଷ୍ଟାଣ୍ଡ ଠାରୁ ରାଣୀପେଣ୍ଠା ପର୍ଯ୍ୟନ୍ତ ରାସ୍ତା କାମ ଅସମ୍ପୂର୍ଣ୍ଣ ହୋଇ ରହିଛି । ପୁଣି ଅନେକ ଦିନରୁ ଖରାପ ଥିବା ତଳ ରାସ୍ତା ଯାହା ପୁରୁଣା ଫାୟାର ଷ୍ଟେସନ ରୁ ଦୋଳବନ୍ଧ ଓ ରାଜନହର ସମୁଖ ଦେଇ ବସଷ୍ଟାଣ୍ଡ ନିକଟକୁ ଯାଉଛି ସେହି ରାସ୍ତା ସ୍ଥାନେ ସ୍ଥାନେ ମରମତି ଅବଶ୍ୟକ କରୁଥିବା ବେଳେ ପୂର୍ତ୍ତ ବିଭାଗ ନିରବ ଦ୍ରଷ୍ଟା ସାଜିଛି ।

ଏନେଇ ଶନିବାର ଦିନ ସ୍ଥାନୀୟ ସ୍ୱେଚ୍ଛାସେବୀ ମାନେ ପାରଳାଖେମୁଣ୍ତି ସଦର ମହକୁମ୍ମାର ପୂର୍ତ୍ତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ସହର ରାସ୍ତାର ଉନ୍ନତି କରଣ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ତିନିଦଫା ସମ୍ବଳିତ ଦାବିପତ୍ରରେ ସହରର ମୁଖ୍ୟ ରାସ୍ତାର ଆବଶ୍ୟକୀୟ ମରାମତି କରିବା , ଅସମ୍ପୁର୍ଣ୍ଣ ରାସ୍ତା କାମ ତଥା ଆବଶ୍ୟକୀୟ ପୁନଃନିର୍ମାଣ କାମ ପାଇଁ ଟେଣ୍ଡର ପ୍ରକ୍ରିୟା ତ୍ୱରାନ୍ୱିତ କରିବା , ରାସ୍ତା କାମରେ ହୋଇଥିବା ଦୁର୍ନୀତିର ସଠିକ ଯାଞ୍ଚ ପୂର୍ବକ ସଂମ୍ପୃତ୍ତ ଠିକାଦାରଙ୍କ ଲାଇସେନ ରଦ୍ଦ କରାଯିବା ନେଇ ଉଲ୍ଲେଖ କରାଯାଇଥିଲା । ଆଉ ମାସେ ପରେ ଗଜପତି ଉତ୍ସବ ପାଇଁ ତାରିଖ ଧାର୍ଯ୍ୟ ସରିଥିବା ବେଳେ ରାସ୍ତା କାମ ତୁରନ୍ତ ନସାରିଲେ ସ୍ବେଚ୍ଛାସେବୀ ମାନେ ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଳାଇବାକୁ ଚେତାବନି ଦେଇଛନ୍ତି । ପ୍ରତିକ୍ରିୟାରେ ବିଭାଗୀୟ ଅଧିକାରୀ ଆସନ୍ତା ଦଶ ଦିନ ମଧ୍ୟରେ ମୁଖ୍ୟ ରାସ୍ତା ଗୁଡ଼ିକର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି । ଏହି ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଆଡଭୋକେଟ ପ୍ରଶାନ୍ତ ପ୍ରଧାନ ନେତୃତ୍ୱ ନେଇଥିବା ବେଳେ ରଞ୍ଜନ ଦାଶ, ଦେବାଶିଷ ପଟ୍ଟନାୟକ, ଅକ୍ଷୟ ପାଇକ, ଶୁଧାଂସୁ ପଣ୍ତିତ, ନିଳାଞ୍ଚଳ ପଣ୍ତା, ସୋମନାଥ ଚୌଧୁରୀ, ରାକେଶ ଗୌଡ଼, ସନ୍ତୋଷ ଜେନା, ଉଲ୍ଲାସ ଚନ୍ଦ୍ର ଆନନ୍ଦ, ପି. କ୍ରାନ୍ତି, କେ. ୟୁବରାଜ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version