Site icon Awaj Media

ରାସ୍ତାକଡ଼ର ଉଠା ପରିବା ଦୋକାନୀ ଓ ପୌର ପରିଷଦର ମଧୁ ଚନ୍ଦ୍ରିକା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ସହରରେ ଦିନକୁ ଦିନ ଜନ ସଂଖ୍ୟା ଓ ଗାଡି ମଟର ଚଳାଚଳ ବଢୁଥିବା ବେଳେ , ଉଠା ଦୋକାନି ପାଇଁ ବଢି ଚାଲିଛି ଟ୍ରାଫିକ ସମସ୍ୟା । ସହରର ବିଭିନ୍ନ ସ୍ଥାନରେ ଉଠା ବ୍ୟବସାୟୀ ମାନେ ରାସ୍ତାକଡରେ ସେମାନଙ୍କ ପସରା ମେଲି ଦେଉଥିବାରୁ ଏହି ସମସ୍ୟା ବଢ଼ିବାରେ ଲାଗିଛି । ଏନେଇ ଜନ ଅସନ୍ତୋଷ ବଢୁଥିବା ବେଳେ ଏବେ ନୟାଗଡ କଲେଜ ରୋଡରେ ଦିନକୁ ଦିନ ବଢି ଚାଲିଥିବା ପରିବା ବ୍ୟବସାୟୀଙ୍କ ସଂଖ୍ୟା ପୈାର ପରିଷଦର କାର୍ଯ୍ୟ ଦକ୍ଷତା ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ ! ନୟାଗଡ଼ ସହରର କଲେଜ ରାସ୍ତା କଡକୁ ଉଠା ପରିବା ଦୋକାନୀ ମାନେ ଏପରି କବଜା କରିଛନ୍ତି ଯେ ଦେଖିଲେ ଲାଗୁଛି ପୈାର ପ୍ରଶାସନ ପକ୍ଷରୁ ସେଠାରେ ସୃଷ୍ଟି କରାଯାଇଛି ସହରର ପରିବା ହାଟ । ରାଜପଥ କଡରେ ଏହି ବେଆଇନ ପରିବା ହାଟ ଯୋଗୁ ଯାନବାହନ ଚଳାଚଳରେ ଉପୁଜୁଛି ସମସ୍ୟା ।

ରାସ୍ତା ଉପରେ ପରିବା ବ୍ୟବସାୟୀ ବସିବା କାରଣରୁ , ଲୋକମାନେ ରାସ୍ତା ଉପରେ ଗାଡି ମୋଟର ରଖି ପରିବା କିଣୁଥିବାରୁ ରାସ୍ତା ସଙ୍କୁଚିତ ହେଉଛି । ଯାଦ୍ୱାରା ଭାରିଯାନ ଯାତାୟତରେ ସୃଷ୍ଟି ହେଉଛି ସମସ୍ୟା । କେବଳ ସେତିକି ନୁହେଁ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ଯାତାୟତରେ ମଧ୍ୟ ନାହିଁ ନଥିବା ଅସୁବିଧା ହେବା ସହ ବଢୁଛି ଦୁର୍ଘଟଣା । ଏଭଳି ସମସ୍ୟା ଦୀର୍ଘଦିନ ଧରି ଚାଲିଥିବା ବେଳେ ଦେଖଣାହାରୀ ସାଜିଛି ପୌର ପ୍ରଶାସନ । ନୟାଗଡ ସହରର ଜନଗହଳିପୂର୍ଣ୍ଣ କଲେଜ ରାସ୍ତାରେ ଦୈନିକ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଯାତ୍ରୀଙ୍କ ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ଯାନବାହନ ଚଳାଚଳ କରିଥାଏ । ବ୍ୟବସାୟୀ ମାନେ ରାସ୍ତାକୁ କବଜା କରି ଦେଉଥିବାରୁ ଦୈନିକ ଏହି ରାସ୍ତାରେ ଛୋଟ ବଡ ଦୁର୍ଘଟଣା ଘଟି ଧନଜୀବନ କ୍ଷତି ଘଟୁଛି । ସହରର ବିଭିନ୍ନ ସ୍ଥାନରୁ ଉଠା ଦୋକାନୀ ଓ ଜବର ଦଖଲକାରୀଙ୍କୁ ସ୍ଥାନାନ୍ତର କରାଯାଉଥିବା ବେଳେ କାହା ସ୍ବାର୍ଥରେ ନୟାଗଡ଼ ପୌର ପ୍ରଶାସନ କଲେଜ ରାସ୍ତାରେ ବେଆଇନ ଭାବେ ଗଢି ଉଠିଥିବା ପରିବା ହାଟ ପ୍ରତି ଆଖି ବୁଜି ଦେଇଛି ତାହାକୁ ନେଇ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ! ଏହି ରାସ୍ତା ଦେଇ ମ୍ୟୁନିସିପାଲିଟି ଅଧ୍ୟକ୍ଷା ଓ ଅନେକ କର୍ମଚାରୀ ଯାତାୟାତ କରୁଥିଲେ ମଧ୍ୟ ଏଭଳି ସମସ୍ୟା ପ୍ରତି ତିଳେ ମାତ୍ର ଦୃଷ୍ଟି ଦେଉନଥିବା ଜନସାଧାରଣରେ ଆଲୋଚନା ହେଉଛି । ନୟାଗଡ଼ ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବାର ସ୍ଳୋଗାନ ଦେଉଥିବା ମ୍ୟୁନିସିପାଲିଟିର ଦୁର୍ନୀତିଗ୍ରସ୍ତ କିଛି କର୍ମଚାରୀଙ୍କ ପ୍ରୋତ୍ସାହନରେ ଏହି ପରିବା ବ୍ୟବସାୟୀ ମାନେ ରାସ୍ତାକଡରେ ବ୍ୟବସାୟ କରୁଥିବା ବେଳେ ପରିବା ବ୍ୟବସାୟୀଙ୍କ ଠାରୁ କର୍ମଚାରୀ ମାନେ ଭଲ ବଟି ଆଦାୟ କରୁଥିବା ସୂଚନା ମିଳିଛି । ଟାଉନ ଥାନା ପୋଲିସ ପକ୍ଷରୁ ଏହି ବ୍ୟବସାୟୀ ମାନଙ୍କୁ ବିଭିନ୍ନ ସମୟରେ ତାଗିଦ କରାଯାଉଥିବା ବେଳେ ମ୍ୟୁନିସିପାଲିଟିର ଅସହଯୋଗ ଯୋଗୁ ଏହି ବ୍ୟବସାୟୀ ମାନଙ୍କୁ ରାସ୍ତାକଡରୁ ଉଠାଇ ହେଉ ନଥିବା କିଛି ପୋଲିସ କର୍ମଚାରୀ ନାମ ପ୍ରକାଶ ନକରି ଅଭିଯୋଗ କରିଛନ୍ତି । ରାସ୍ତା ଉପରେ ଏଭଳି ବେଆଇନ ପରିବା ହାଟ ଯୋଗୁ ଉପୁଜୁଥିବା ସମସ୍ୟା ଯୋଗୁଁ ଆଗକୁ ଦୁର୍ଘଟଣା ଘଟି ଧନଜୀବନ ହାନି ହେବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆ ଯାଇନପାରେ । ଏଭଳି ସ୍ଥିତିରେ ଜାଣିଶୁଣି ଏକ ବଡ ଅଘଟଣକୁ ଅପେକ୍ଷା କରୁଛି କି ନୟାଗଡ ମୁନିସିପାଲିଟି ପ୍ରଶାସନ ! ତାକୁ ନେଇ ଜନସାଧାରଣରେ ଆଲୋଚନା ଆରମ୍ଭ ହୋଇଛି । ପ୍ରଶାସନର ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି ।

Exit mobile version