ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଭୁବନେଶ୍ୱର ଓଡ଼ିଶା ପୁସ୍ତକ ମହୋତ୍ସବ ‘ଅକ୍ଷର’ ପରିସରରେ ଆଦିତ୍ୟ ଭାରତ ପ୍ରକାଶନୀ ସଂସ୍ଥା ଦ୍ଵାରା ଯୁବ କଥାକାର ଅଜିତ ନାୟକଙ୍କ ଉପନ୍ୟାସ ‘ ଅନୁତପ୍ତ ପ୍ରେମିକା ’ ର ଲୋକାର୍ପଣ ହୋଇଯାଇଛି । ପୁସ୍ତକର ଲୋକାର୍ପଣ ଅବସରରେ ବିଶିଷ୍ଟ କଥାକାର ସରୋଜିନୀ ସାହୁ ଓ ଗୋଲାପ ମଞ୍ଜରୀ କର, ତରୁଣ ପିଢିର କଥାକାର ମଦନ ମହାପାତ୍ର ଏବଂ ପ୍ରକାଶକ ତଥା କଥାକାର ଦେବାଶିଷ ସାମନ୍ତରାୟ ମଞ୍ଚରେ ଉପସ୍ଥିତ ଥିଲେ । ଅଣପାରମ୍ପରିକ ଢଙ୍ଗରେ ଆଦିତ୍ୟ ଭାରତ ଷ୍ଟଲରେ ଉନ୍ମୋଚିତ ଏହି ପୁସ୍ତକର ଲେଖନ ଭଙ୍ଗୀ, ଅଙ୍ଗସଜ୍ଜା ଓ କ୍ଷୁଦ୍ର କଳେବରକୁ ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିଲେ । ଶ୍ରୀମତୀ ସାହୁ କହିଥିଲେ ଯେ, ଅଜିତ ଙ୍କ ବୟସର ଯୁବ ଲେଖକ ମାନେ ସର୍ବଦା ନୂଆ କଥା କହିଥାନ୍ତି । ପାରମ୍ପରିକ କଥନ ଶୈଳୀ ରୁ ବାହାରକୁ ଯାଇ ସେମାନେ ନିଜ ପାଇଁ ଏକ ନୂତନ ଶୈଳୀର ନିର୍ମାଣ କରନ୍ତି । ଆମ ସାହିତ୍ୟ ରେ ଉପନ୍ୟାସର ସଂଖ୍ୟା ଧିରେ ଧିରେ କମିଯାଉଥିବା ବେଳେ ଅଜିତ ଙ୍କ ପରି ଯୁବ କଥାକାର ସେ ଅଭାବକୁ ପୂରଣ କରିପାରିବେ । ଉପନ୍ୟାସ ଓ ଗଳ୍ପରେ ଶବ୍ଦ ପ୍ରୟୋଗ ର ବହୁଦା ପରିବର୍ତ୍ତନକୁ ନୂତନ ପିଢ଼ିର କଥାକାର ମାନେ ଆଗକୁ ନେବେ । ଗୋଲାପ ମଞ୍ଜରୀ କର ଆଦିତ୍ୟଙ୍କୁ ପ୍ରଶଂସା କରି କହିଥିଲେ ଅଜିତ ନିଶ୍ଚୟ ଜଣେ ସଚା ପ୍ରେମିକ ହୋଇଥିବେ । ପ୍ରେମ ବିନା ଜୀବନର ମାନେ କିଛି ହୁଏ ନାହିଁ ଓ ପ୍ରେମକୁ ଛାଡି ସାହିତ୍ୟ ଅଧୁରା ରହିଯାଏ । ଅନୂତପ୍ତ ପ୍ରେମିକା ମାଧ୍ୟମରେ କଥାକାର ପ୍ରେମର ଏକ ବଳିଷ୍ଠ ଦିଗକୁ ପାଠକଙ୍କ ନିକଟରେ ତୋଳି ଧରିଛନ୍ତି । ସେଥିପାଇଁ ଅଜିତ ନିଶ୍ଚୟ ପ୍ରଶଂସା ର ପାତ୍ର । ମଦନ ମହାପାତ୍ର ଅଜିତ ଙ୍କୁ ଆମ କଥା ସାହିତ୍ୟରେ ଏକ ନୂତନ ସମ୍ଭାବନା ରୂପେ ଅଭିହିତ କରିଥଲେ । ଉପନ୍ୟାସଟିରେ ଅଜିତ କାଳ୍ପନିକତାର ଉର୍ଦ୍ଧ୍ବ କୁ ଉଠି ସାଧାରଣ ଜୀବନର ଘଟଣା ପ୍ରବାହକୁ ଚମତ୍କାର ଢଙ୍ଗରେ ପରସି ଦେଇଛନ୍ତି । ପଢିଲେ ଲାଗିବ ଏଇ ତ ଏ ଘଟଣା ସବୁ ମୋ ଚାରି ପାଖରେ ହିଁ ଘଟିଯାଉଛି । ଜଣେ ପାଠକ ବସ ରେ କିମ୍ବା ଟ୍ରେନରେ ଗଲାବେଳେ ଘଣ୍ଟେ ଦେଢ଼ ଘଣ୍ଟା ମଧ୍ୟରେ ଏ ଉପନ୍ୟାସଟିକୁ ପଢ଼ିଦେଇ ପାରିବ । ତେଣୁ ଆମ କଥା ସାହିତ୍ୟ ପ୍ରତି ଏହା ପାଠକଙ୍କ ନିକଟରେ ଆଗ୍ରହ ସୃଷ୍ଟି କରିବା ରେ ସହାୟକ ହେବ । ଉପନ୍ୟାସ ଟିର ଅତି ସୁନ୍ଦର ପ୍ରଚ୍ଛଦ ବିଶିଷ୍ଟ କବି ମୋହିତ ଚକ୍ରବର୍ତ୍ତୀ ଙ୍କର ତତ୍ତ୍ଵାବଧାନରେ ଅଙ୍କିତ ହୋଇଥିବା ବେଳେ ସେ ଏହି ବହି ଟିର ସମୀକ୍ଷା ଲେଖିଛନ୍ତି । ଗୋଟିଏ ପୃଷ୍ଠାର ସମୀକ୍ଷା ରେ ସେ ଅଜିତ ଙ୍କ ଉଜ୍ବଳ ସାହିତ୍ୟିକ ଭବିଷ୍ୟତ କାମନା କରି ଲେଖିଛନ୍ତି ଯେ ଉପନ୍ୟାସଟିକୁ ପଢ଼ିବା ଆରମ୍ଭ କଲେ ଶେଷ ନ କରି ରହିପାରିବ ନାହିଁ । ସମସ୍ତ ଅତିଥି ଅଜିତ ଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଲୋକାର୍ପଣ ସମାରୋହକୁ ଯୁବ ସାହିତ୍ୟିକ ବିନୟତୋସ ପରିଚାଳନା କରିଥିଲେ । ଅଣ ପାରମ୍ପାରିକ ଢଙ୍ଗରେ ଆୟୋଜିତ ହୋଇଥିବା ଏହି ଆସରରେ ଯୁବ ସାହିତ୍ୟିକ ଓମ୍ ପ୍ରକାଶ ଅତିଥି ମାନଙ୍କୁ ସେମାନଙ୍କର ବକ୍ତବ୍ୟ ମଝିରେ ପ୍ରଶ୍ନ ପଚାରି ଦର୍ଶକଙ୍କୁ ବୌଦ୍ଧିକ ଖୋରାକ ଯୋଗାଉଥିବା ସାଙ୍ଗକୁ କାର୍ଯ୍ୟକ୍ରମକୁ ସାବଲୀଳ କରିଥିଲେ । ପୁସ୍ତକ ମହୋତ୍ସବ ଅକ୍ଷର ପରିସରରେ ଆଦିତ୍ୟ ଭାରତ ଷ୍ଟଲରେ ଅନ୍ୟ ପୁସ୍ତକ ସହିତ ଅଜିତ୍ ଙ୍କ ” ଅନୁତପ୍ତ ପ୍ରେମିକା ” ପାଠକଙ୍କ ପାଇଁ ଅପେକ୍ଷା କରିଛି ।
ଆଦିତ୍ୟ ଭାରତ ପ୍ରକାଶନୀ ସଂସ୍ଥା ଦ୍ଵାରା ଯୁବ କଥାକାର ଅଜିତ ନାୟକଙ୍କ ଉପନ୍ୟାସ ‘ ଅନୁତପ୍ତ ପ୍ରେମିକା’ ର ଲୋକାର୍ପଣ !!!

