Site icon Awaj Media

କନ୍ଧମାଳ ଜିଲ୍ଲାପାଳଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ : କାର୍ଯ୍ୟରେ ଅବହେଳା ଅଭିଯୋଗ ନେଇ ଶିକ୍ଷକ ନିଲମ୍ବିତ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲା ଗୋଛାପଡ଼ା ପଂଚାୟତ ଅନ୍ତର୍ଗତ ପିପଲମାଲ ବିଦ୍ୟାଳୟରେ ଗତ ୧୨ ତାରିଖରେ ଦେଖା ଯାଇଥିବା ଅଭାବନୀୟ ଘଟଣା ପ୍ରକାରେ ଜିଲା ପ୍ରଶାସନ ପକ୍ଷରୁ ନିଆଯାଇଛି ବିହିତ କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟରେ ଅବହେଳା ପାଇଁ ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ଫିରିଙ୍ଗିଆ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ ମିଶ୍ର । କେବଳ ସେତିକି ନୁହେଁ ,ଜନୈକ ଶିକ୍ଷକଙ୍କ ବିରୋଧରେ ବିଭିନ୍ନ ପ୍ରକାର ଅନିୟମିତତା ଅଭିଯୋଗ ଆସିଛି ! ତାହାର ମଧ୍ୟ ବିଧିବଧ ଭାବେ ତଦନ୍ତ କରାଯିବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି । ସମ୍ପୃକ୍ତ ଶିକ୍ଷକଙ୍କ ମନୋମୁଖୀ କାର୍ଯ୍ୟକଳାପ ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ଅଭିଭାବକ ମାନେ ଅତିଷ୍ଠ ହୋଇ ପଡ଼ିଥିଲେ । ପରିଚାଳନା କମିଟି ଓ ଅଭିଭାବକ ମାନଙ୍କ ଅଭିଯୋଗ ପ୍ରକାରେ ସମ୍ପୃକ୍ତ ଶିକ୍ଷକ ଜଣକ ଗତ କୋଭିଡ୍ ସମୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସିଥିବା ଲକ୍ଷାଧିକ ଟଙ୍କା ଆତ୍ମସାତ୍ କରିବା ସହ ନିମ୍ନମାନର ଖାଦ୍ୟ ଦେଉଥିଲେ । ସ୍କୁଲର ଉନ୍ନତି ପାଇଁ ଆସୁଥିବା ଟଙ୍କାକୁ ମଧ୍ୟ ସେ ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଥିଲା । କିଛି ଦିନ ପୂର୍ବରୁ ଏହି ସ୍କୁଲରେ ବିପିନ କୁମାର ସ୍ୱାଇଁ ନାମକ ଜଣେ ସ୍ଥାୟୀ ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ ମଧ୍ୟ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରୁ ନଥିବା ବି ଅଭିଯୋଗ ହୋଇଥିଲା । ଶେଷରେ ଗତ ୧୨ ତାରିଖରେ ଅଭିଭାବକ ମାନେ ଅତିଷ୍ଠ ହୋଇ ସ୍କୁଲରେ ତାଲା ପକାଇ ଦେଇଥିଲେ । ଖବର ପାଇ ଘଟଣାର ତଦନ୍ତ କରିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ସ୍କୁଲରେ ପହଞ୍ଚିବା ପୂର୍ବରୁ ସମ୍ପୃକ୍ତ ଶିକ୍ଷକ ଜଣକ ବିଦ୍ୟାଳୟର କାର୍ୟ୍ୟାଳୟରେ ତାଲା ପକାଇ ଚାଲି ଯାଇଥିଲେ । ଏହାପରେ ବିଇଓଙ୍କ ଉପସ୍ଥିତିରେ ସ୍କୁଲର ଛାତ୍ରଛାତ୍ରୀ ସ୍କୁଲ ବାରଣ୍ଡାରେ ପରୀକ୍ଷା ଦେବା ସହ ମଧ୍ୟାହ୍ନ ଭୋଜନ କରିଥିଲେ । ତେବେ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରାଯିବା ପରେ ଏଥିରେ ସତ୍ୟତା ଥିବା ଜଣାପଡିଛି ବୋଲି କହିଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର । ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।

Exit mobile version