କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁରୁବାଲି ବୁଲାଣି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା । ମୃତ ଯୁବକ ଦୁଇଜଣ ବଡ଼ଗାଁ ଅଞ୍ଚଳର ରାକେଶ ମଲ୍ଲିକ (ଲିଚୁ) ଓ ଅଚ୍ୟୁତାନନ୍ଦ ନାୟକ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ରବିବାର ରାତି ପ୍ରାୟ ୧୦ଟା ସମୟରେ ବଡ଼ଗାଁ ଅଞ୍ଚଳର ଦୁଇ ଜଣ ଯୁବକ ରାକେଶ ମଲ୍ଲିକ (ଲିଚୁ) ଓ ଅଚ୍ୟୁତାନନ୍ଦ ନାୟକ ମହାସିଙ୍ଗି ଆଡୁ ବାଲିଗୁଡ଼ା ଅଭିମୁଖେ ଆସୁଥିବା ବେଳେ ସୁରୁବାଲି ଗାଁ ନିକଟ ବୁଲାଣି ରାସ୍ତାରେ ଏକ ହାଇୱା ଗାଡ଼ି ଆଗ ପଟରୁ ଧକ୍କା ଦେଇ ଦେଇଥିଲା । ଫଳରେ ଦୁଇ ଯୁବକ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଥିଲେ । ଖବରପାଇ ବାଲିଗୁଡ଼ା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ସେପଟେ ଘଟଣାକୁ ନେଇ ଚାପା ଉତ୍ତେଜନା ଦେଖା ଦେଇଥିଲା । କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ଉପଖଣ୍ଡ ଚିକିତ୍ସାଳୟ ସମୁଖ ୫୯ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ସମ୍ପୃକ୍ତ ଠିକା ସଂସ୍ଥା ମୃତକଙ୍କ ପରିବାରକୁ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ପାଇଁ ପ୍ରତିଶୃତି ଦେବା ପରେ ଦୀର୍ଘ ତିନି ଘଣ୍ଟା ପରେ ରାସ୍ତାରୋକ ଆନ୍ଦୋଳନ ହଟିଥିଲା ।
ହାଇୱା ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ : ପ୍ରଶାସନର ପ୍ରତିଶୃତି ପାଇବା ପରେ ଦୀର୍ଘ ତିନି ଘଣ୍ଟା ପରେ ହଟିଲା ରାସ୍ତାରୋକ ଆନ୍ଦୋଳନ !!!

