ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଦିନକ ପୂର୍ବରୁ ପୁରୀ ଠାରେ ଅନୁଷ୍ଠିତ ହୋଇଛି ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ । ଏନେଇ ମଙ୍ଗଳବାର ପାଳିତ ହେଉଛି ବିଭିନ୍ନ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରତିଷ୍ଠା ଦିବସ । ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଯୁବ ବିଜେଡି ପାଳିଛି ଦଳର ପ୍ରତିଷ୍ଠା ଦିବସ , ଯେଉଁଥିରେ ଦେଖା ଦେଇଛି ବିଶୃଙ୍ଖଳା । ବେଗୁନିଆ ର ହଜାର ହଜାର ବିଜେଡି କର୍ମୀ ,ନିର୍ବାଚିତ ଜିଲା ପରିଷଦ ସଭ୍ୟ ,ସମିତି ସଭ୍ୟ ଆଉ ସରପଞ୍ଚ ଉପସ୍ଥିତ ଥିବାବେଳେ ଜିଲା ଯୋଜନାବୋର୍ଡ ଅଧକ୍ଷ ତଥା ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଉପସ୍ଥିତ ନଥିଲେ । ଯାହାକୁ ନେଇ ବିଜେଡିରେ ଥିବା ଗୋଷ୍ଠୀ କନ୍ଦଳ ପଦାରେ ପଡିଛି । ସମସ୍ତଙ୍କୁ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରିବାର ଅଧିକାର ଅଛି , ଆମେବି କରୁଛୁ ! ବିଧାୟକ ଆସନ୍ତୁ ବୋଲି ଉପସ୍ଥିତ ପ୍ରତିନିଧି ମାନେ କହିଛନ୍ତି । ବିଗତ ଦିନରେ ଦଳୀୟ ପଦଯାତ୍ରାରେ ବି ବିଶୃଙ୍ଖଳା ଦେଖିବାକୁ ମିଳିଥିଲା , ଭିନ୍ନ ଭିନ୍ନ ସ୍ଥାନରେ କର୍ମୀମାନେ ବିଧାୟକ ଙ୍କୁ ଛାଡି ପଦଯାତ୍ରା ଆୟୋଜନ କରିଥିଲେ । ତେବେ ଆଗାମୀ ଦିନରେ ବିଧାୟକଙ୍କ ବିରୋଧରେ ତଥା ବିଜେଡିରେ ଗୋଷ୍ଠି କନ୍ଦଳ ତୀବ୍ର ହେବାର ଅନୁମାନ କରାଯାଉଛି !
ବୋଲଗଡ଼ ନନ୍ଦିଘୋଷ ଭବନ ଠାରେ ଆୟୋଜିତ ଏହି ପ୍ରତିଷ୍ଠା ଉତ୍ସବ ରେ ଦୁଇ ବରିଷ୍ଠ ନେତା ରବୀନ୍ଦ୍ର କୁମାର ପରିଡା ଏବଂ କୃଷ୍ଣ ପାଲଟାସିଂହ ଯୋଗ ଦେବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ପୂର୍ବତନ ଜିଲ୍ଲା ପରିଷଦ ତଥା ବେଗୁନିଆ ଯୁବ ବିଜେଡି ସଭାପତି ବିଭୁତି ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଅନାଦୀ ସାହୁ, ବେଗୁନିଆ ସମିତିସଭ୍ୟ ପ୍ରକାଶ ଚନ୍ଦ୍ର ବଳିଆରସିଂହ, ଫାଶୀଓଦା ସମିତି ସଭ୍ୟ ପ୍ରଦୀପ ପ୍ରଧାନ, ଜିଲା ଛାତ୍ର ବିଜେଡି ସଭାପତି ବିଶ୍ୱଦୀପ ପ୍ରଧାନ, ସାଧାରଣ ସମ୍ପାଦକ ବିଜୟାନନ୍ଦ ମହାପାତ୍ର, ବରିଷ୍ଠ ନେତା ବୁଲୁ ସାହୁ, ବାପି ଲେଙ୍କା, ପ୍ରକାଶ ସାହୁ , ମହିଳା ନେତ୍ରୀ ଶୈଳବାଳା ବାହିନୀପତି , କୈଳାସ ଚମ୍ପତ୍ତି ପ୍ରମୁଖ ମଞ୍ଚସୀନ ହୋଇ ବିଜୁ ଜନତା ଦଳର ୨୫ ବର୍ଷର ଶାସନରେ ମହିଳା ମାନଙ୍କୁ ମିଳିଥିବା ଅଧିକାର, ବାତ୍ୟା ,ବନ୍ୟା ଓ ମହାମାରୀ ସମୟରେ ସରକାରଙ୍କ ଆଭିମୁଖ୍ୟକୁ ବିଶ୍ୱ ପ୍ରସଂଶା କରିବା ନେଇ ଉପସ୍ଥିତ କର୍ମୀ ଓ ଜନସାଧାରଣ ମାନଙ୍କୁ ସୂଚନା ଦେଇଥିଲେ । ନିର୍ବାଚନ ମଣ୍ଡଳୀରେ ଦଳକୁ ଭାଗ କରୁଥିବା କୁଚକ୍ରୀ ନେତା ମାନଙ୍କୁ ଆଗାମୀ ଦିନରେ ମହିଳା ବିଜେଡି ବିରୋଧ କରିବ ବୋଲି ମହିଳା ନେତ୍ରୀ ମାନେ ଖୋଲା ଖୋଲି ସଭା ମଞ୍ଚରେ ପ୍ରକାଶ କରିବା ସହ ବିଧାୟକ ନିର୍ବାଚନ ମଣ୍ଡଳୀକୁ ପଛୁଆ କରିଛନ୍ତି ବୋଲି ପ୍ରକାଶ କରିଥିଲେ । ଯାହାକି ପ୍ରତିଷ୍ଠା ଉତ୍ସବ ପାଳନକୁ ଆୟୁଧ କରି ବିଧାୟକ ଙ୍କ ବିରୋଧୀ ମଞ୍ଚ ପରି ହୋଇଥିଲା ।

