ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ନାଁ ଟି ତାହାର ରାକ୍ଷୀ, ବୟସ ପାଖାପାଖି 7 / 8ବର୍ଷ ହେବ l ପିଲାବେଳୁ ଥିଲା ବେଶ ଚାଲାକ ଆଉ ମେଧାବୀ l ଏପରି କଟିଯାଉଥିଲା ତା ବାଲ୍ୟବସ୍ଥା l ବୋଧହୁଏ ଦଇବ ଏହାକୁ ସହି ପାରିଲା ନାହିଁ, ଜୀବନକୁ ବୁଝିବା ଆଗରୁ ତାକୁ ଦେଇଦେଲା କିଡନୀ ରୋଗର ଯନ୍ତ୍ରଣା l ଆମେ ଏଠି କହୁଛୁ ବେଗୁନିଆ ବ୍ଲକ ଅଧିନସ୍ଥ ଦୁର୍ଗାପୁର ପଞ୍ଚାୟତ ଲଳିତା ଦେଇପୁରର ଦଣ୍ଡପାଣି ସାହୁଙ୍କ ଝିଅ ରାକ୍ଷୀପ୍ରିୟା ସାହୁ ବିଷୟରେ, ଯିଏକି ମାତ୍ର 7 ବର୍ଷ ବୟସରେ କିଡନୀ ରୋଗରୁ ବଞ୍ଚିବା ପାଇଁ ରାହା ଖୋଜୁଛି l ଦଣ୍ଡପାଣି ଜଣେ ମାନସିକ ବିକାର ଗ୍ରସ୍ତ ରୋଗୀ l ପ୍ରତି ଦିନ ନିଜ ପାଇଁ ଔଷଧ ନପାଉଥିବା ଲୋକ କେମିତି ବା ଲକ୍ଷ ଲକ୍ଷ ଟଙ୍କା ଆଣି ନିଜ ଝିଅକୁ ଭଲ କରିବ l ଝିଅକୁ ଭଲ କରିବା ପାଇଁ, ଜମି ବାଡ଼ି ଯାହାଥିଲା ତାକୁ ବିକ୍ରି କରିବା ପରେ, ଚିକିତ୍ସା ପାଇଁ ଘରୁ ମଧ୍ୟ ଅଧା ଜାଗାକୁ ବିକ୍ରି କରି ସାରିଲେଣି l ପରିଶେଷରେ ଘରୁ ଗହଣାଗାଣ୍ଠି, ବାସନ କୁସନ ମଧ୍ୟ ବିକ୍ରି କରି ସାରିଲେଣି ! କିନ୍ତୁ ଝିଅର ଚିକିତ୍ସା ପାଇଁ ସବୁ ନଅଣ୍ଟ l ବର୍ତମାନ ଘରର ଅବସ୍ଥା ଏପରି ହେଲାଣିଯେ ଦିନକୁ ଦି ମୁଠା ଖାଦ୍ୟ ଯୋଗାଡ଼ କରିବା ପାଇଁ ସେ ପରିବାର ଅସମର୍ଥ l ଯାହାର ଫଳ ସ୍ୱରୂପ ଦଣ୍ଡପାଣିଙ୍କ ବାପା ଶ୍ୟାମସୁନ୍ଦର ସାହୁ 80 ବର୍ଷ ବୟସରେ ମଧ୍ୟ ମୂଲ ଲାଗିବାକୁ ଯାଉଛନ୍ତି l ତେବେ ଏଠି ପ୍ରଶ୍ନ ଉଙ୍କି ମାରୁଛି, ସରକାର ନାରୀଜାତିକୁ ଶିକ୍ଷିତ କରି ନାରୀ ମାନଙ୍କର ଉନ୍ନତି ପାଇଁ ଶହଶହ ଯୋଜନା କରୁଥିବା ସ୍ଥଳେ , ଏଠି କଅଁଳ କନ୍ୟା ଶିଶୁ ଜୀବନ ବଞ୍ଚିବା ପାଇଁ ରୋଗ ସହ ଲଢୁଛି l ତାକୁ ରୋଗରୁ ବଞ୍ଚାଇବା ପାଇଁ ପରିବାର ପାଖରେ ନା ଅଛି ଧନ ନା ଅଛି ଧର୍ଯ୍ୟ, ଆଉ ଅନେଇ ବସିଛନ୍ତି ଅନ୍ୟ ମାନଙ୍କ ହାତକୁ l
ସାହାରା ମାଗୁଛି ରାକ୍ଷୀ !!!

