Site icon Awaj Media

ବାଲୁଗାଁ ମହାବିଦ୍ୟାଳୟ ଠାରେ ଗଳ୍ପ ସଂକଳନ “ଛାଇ ସହ ମୁହାଁମୁହିଁ” ଉନ୍ମୋଚିତ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟ ପରିସରରେ ” ଚଳିତ ଦଶକର ସର୍ଜନ ସାହିତ୍ୟ ” ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ ହେବା ସହ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ଗଳ୍ପ ପୁସ୍ତକ “ଛାଇ ସହ ମୁହାଁମୁହିଁ “ର ପାଠକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥିତଯଶା ଗାଳ୍ପିକ ଡକ୍ଟର ଅଜୟ ସ୍ୱାଇଁ କହିଲେ ଯେ ମାତୃଭାଷାକୁ ଭଲ ପାଇଲେ ଜାତିର ଗାରିମା ବିକଶିତ ହୁଏ ଓ ଆମ ଜାତୀୟ ଚେତନା ପ୍ରତିଫଳିତ ହୋଇଥାଏ l ଛାତ୍ରଛାତ୍ରୀ ମାନେ ପାଠ୍ୟ ପୁସ୍ତକ ବ୍ୟତୀତ ଓଡ଼ିଆ ଭାଷାର ଲେଖକ ମାନଙ୍କ ଗଳ୍ପ, କବିତା, ଉପନ୍ୟାସ ଆଦି ଅଧ୍ୟୟନ ପଢିଲେ ବିଭିନ୍ନ ସମୟର ସାମାଜିକ ଚିତ୍ରଣ ଓ ସାଂସ୍କୃତିକ ଐତିହ୍ୟ ତଥା ବୌଦ୍ଧିକ ପ୍ରତିଫଳନ ସମ୍ପର୍କରେ ସମ୍ୟକ ଜ୍ଞାନ ଲାଭ କରି ପାରନ୍ତେ l ସମ୍ପ୍ରତି ଛାତ୍ରଛାତ୍ରୀଙ୍କର ପଠନଶୀଳତା ହ୍ରାସ ହେବା ସହ ନିଜ ଚାରିପଟର ବ୍ୟକ୍ତି ଓ ପ୍ରକୃତି ସମ୍ପର୍କରେ ଅନାଗ୍ରହତା ଓଡ଼ିଆ ଭାଷା ଓ ସାଂସ୍କୃତିକ ଜାଗରଣ ପ୍ରତି ଏକ ଅପମାନନ lମୁଖ୍ୟବକ୍ତା କଥାକାର ଶିବ ମିଶ୍ର ଛାଇ ସହ ମୁହାଁ ମୁହିଁ ଗଳ୍ପ ସଂକଳନରେ ସ୍ଥାନିତ ଗଳ୍ପ ଗୁଡିକର ଚରିତ୍ର ଚିତ୍ରଣ, ଗଳ୍ପ ଚାତୁରୀ ଓ ସାମ୍ପ୍ରତିକ ସମୟର ଦୃଶ୍ୟପଟ କିପରି ଉପସ୍ଥାପିତ ହୋଇଛି ତାହା ଆଲୋଚନା କରିଥିଲେ l ରାଷ୍ଟ୍ରପତିଙ୍କ ଦ୍ୱାରା ଚଳିତ ବର୍ଷ ପୁରସ୍କୃତ ହୋଇଥିବା ପ୍ରକାଶକ ବନୋଜ କୁମାର ତ୍ରିପାଠୀ ଚଳିତ ଦଶକର ସର୍ଜନ ସାହିତ୍ୟ ସମ୍ପର୍କରେ ଆଲୋକପlତ କରି ଯୁବ ପିଢ଼ି ସର୍ଜନ ମନସ୍କ ହେବାପାଇଁ ଆହ୍ୱାନ ଦେଇଥିଲେ l ଏହି ଅବସରରେ ଅଧ୍ୟକ୍ଷତା କରି ଯୁକ୍ତ ଦୁଇ ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶ ଛାତ୍ରଛାତ୍ରୀ ମାନେ ସାମ୍ପ୍ରତିକ ସମୟର ଲେଖକ ମାନଙ୍କୁ ପଢିବା ସହିତ ଗଳ୍ପ କବିତା ଲେଖି ଛାତ୍ର ଜୀବନର ଉତ୍କର୍ଷତା ପ୍ରତିପାଦନ କରିବାକୁ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ l ନାଚୁଣୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଗଙ୍ଗାଧର ପ୍ରଧାନ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାର ଉଚ୍ଚାଙ୍ଗ ସାହିତ୍ୟ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ l ଅଧ୍ୟାପକ ମନୋଜ କୁମାର ମହାପାତ୍ର ଓ ସପ୍ତଫେଣୀର ମୁଖ୍ୟ ସମ୍ପାଦକ କବି ଗୋପୀନାଥ ଦାଶ ବାଲୁଗାଁ ଓ ବାଣପୁର ଅଂଚଳର ଲେଖକ ମାନଙ୍କ ସାହିତ୍ୟ କିପରି ଓଡ଼ିଶାର ସାହିତ୍ୟ ପରିମଣ୍ଡଳକୁ ପରିପୁଷ୍ଟ କରିଛି, ଆଲୋଚନା କରିଥିଲେ l ଉତ୍ସବରେ ଡକ୍ଟର ଲଷ୍ମୀଧର ସୁବୁଦ୍ଧି, ଡକ୍ଟର ରଘୁନାଥ ଓଝା, ଅଧ୍ୟାପିକା ରୀନା ରାଉତ, ପ୍ରିୟଦର୍ଶିନୀ ମହାରଣା, ଗବେଷକ ମଦନ ମୋହନ ମହାପାତ୍ର, ଡକ୍ଟର ଅକ୍ଷୟ ମିଶ୍ର, ଗାଳ୍ପିକ ସୁଶାନ୍ତ ଦାଶ, ଝରଣା ନାଥ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଡକ୍ଟର କୈଳାଶ ଚନ୍ଦ୍ର ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ସୁଶ୍ରୀ ଜୁନାଲି ସୁର, ଓ ଶୋଭିତ ଜେନା ଏଥିରେ ସହାୟତା କରିଥିଲେ l

Exit mobile version