ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କଟକ ଜିଲ୍ଲା ବୈଦେଶ୍ଵର ଗୋପିନାଥପୁର ଟି-ବ୍ରିଜ୍ ଉପରେ ଦଳାଚକଟା । ଘଟଣାରେ ୨୦ ରୁ ଅଧିକ ଶ୍ରଦ୍ଧାଳୁ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତେବେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି ! ଆଜି ଅପରାହ୍ନରେ ଘଟିଛି ଏପରି ଅଘଟଣ ! ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବଡମ୍ବା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଗୁରୁତରଙ୍କ ଭିତରେ ୪ ମହିଳା ଓ ୩ ଶିଶୁ ରହିଛନ୍ତି ।
ବାବା ସିଂହନାଥ ପୀଠରେ ପ୍ରସିଦ୍ଧ ମକର ମେଳା ପାଇଁ ଲକ୍ଷାଧିକ ଲୋକଙ୍କର ସମାଗମ ହୋଇଥିବା ବେଳେ ଘଟିଛି ଅଘଟଣ ! ବ୍ରିଜ୍ ଯୋଗ ସିଂହନାଥ ପୀଠକୁ ଦର୍ଶନ ନିମନ୍ତେ ବହୁ ଶ୍ରଦ୍ଧାଳୁ ଆସିଥିଲେ। ସିଂହନାଥ ପୀଠ ନିକଟ ମେଳା ପଡ଼ିଆରେ ମଧ୍ୟ ପ୍ରବଳ ଭିଡ଼ ହୋଇଥିଲା । ମହାନଦୀ ଉପରେ ନିର୍ମିତ ଏହି ବ୍ରିଜ ଏକ ବର୍ଷ ତଳେ ଲୋକାର୍ପିତ ହୋଇଥିଲା । ବୈଦେଶ୍ୱର ଓ ଗୋପୀନାଥପୁର କୁ ସଂଯୋଗ କରୁଥିବା ଏହି ବ୍ରିଜ୍ ଯୋଗେ ଲୋକଙ୍କୁ ସିଂହନାଥ ପୀଠ ଏବଂ ମେଳା ପଡ଼ିଆରେ ପହଞ୍ଚିବା ସୁଗମ ହୋଇଥିବାରୁ ଆଜି ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଥିଲା । ବ୍ରିଜ୍ର ଗୋଟିଏ ପାର୍ଶ୍ୱରେ ପାଦ ଚଲା ଲୋକେ ଯାଉଥିବା ବେଳେ ଅନ୍ୟ ପଟେ ଗାଡ଼ି ମୋଟର ଯାତାୟତ କରୁଥିଲା । ହେଲେ ଆବଶ୍ୟକ ପୁଲିସ ଓ ଟ୍ରାଫିକ୍ ଶୃଙ୍ଖଳା ବ୍ୟବସ୍ଥା ନ ଥିବାରୁ ବ୍ରିଜ୍ ଉପରେ ହାଠତ୍ ଜାମ୍ ହୋଇ ଯାଇଥିଲା । ଫଳରେ ଦଳାଚକଟା ହୋଇଥିଲା । ଦଳାଚକଟାରୁ ରକ୍ଷା ପାଇଁ କିଛି ଲୋକ ପୋଲ ତଳକୁ ଡେଇଁ ପଡ଼ିଥିଲେ । ଦଳାଚକଟା ବେଳେ ବ୍ରିଜ୍ ଉପରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକ ଥିଲେ ।
ତେବେ ବ୍ରିଜ୍ ତଳେ ମେଳା ସ୍ଥାନକୁ ପହଞ୍ଚିବା ନିମନ୍ତେ ଏକ ମାଟି ଚଲା ରାସ୍ତା ଥିଲେ ହେଁ , ଏକାକୁ ବନ୍ଦ କରି ଦିଆଯାଇଥିଲା । ବ୍ରିଜ୍ର ଉଭୟ ପାର୍ଶ୍ୱରୁ ପ୍ରାୟ ୪ କିମି ଚଲାପଥ ରାସ୍ତା ଏହି ପୀଠକୁ ରହିଥିଲା । ଦଳାଚକଟା ପରେ ଲୋକ ମାନଙ୍କୁ ସ୍ଥାନ ଛାଡ଼ି ଚାଲିଯିବାକୁ ପୁଲିସ ପକ୍ଷରୁ ଡାକବାଜି ଯୋଗେ ପ୍ରଚାର କରାଯାଇଛି । ବ୍ରିଜ୍ ଉପରେ ଲୋକଙ୍କୁ ମଧ୍ୟ ଅଟକାଇ ଘରକୁ ଚାଲିଯିବାକୁ କୁହାଯାଇଛି । ତେବେ ଦୁଇଟି ନିର୍ବାଚନ ମଣ୍ଡଳୀ ବାଙ୍କୀ ଏବଂ ବଡମ୍ବା ର ମିଳନ ସ୍ଥଳରେ ହେଉଥିବା ଏହି ଯାତ୍ରାକୁ ସୁରୁଖୁରୁରେ ସମ୍ପାଦନ ପାଇଁ ପ୍ରଶାସନିକ ପ୍ରସ୍ତୁତି ଅଭାବରୁ ଏପରି ଅଘଟଣ ଘଟିଥିବା ନେଇ ପ୍ରକାଶ ପାଇଛି !

