Site icon Awaj Media

ମୃତଦେହ ଛୁଇଁଲେନି ପରିବାର ସଦସ୍ୟ : କନ୍ଧମାଳ ର ଟିମ୍‌ ହ୍ୟୁମାନିଟି ଶବ ସତ୍କାର କଲା !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଆଜିର ଏହି ବିଜ୍ଞାନ ର ଯୁଗ ମଣିଷ ଯେତିକି ଯେତିକି ଉନ୍ନତ ହେଉଛି ସେହି ତୁଳନାରେ ମାନବିକତା ମଧ୍ୟ ଦିନକୁ ଦିନ ହଜି ଯାଉଛି । ଯାହାର ଏକ ଜ୍ୱଳନ୍ତ ଉଦାହାରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ସଦର ଥାନା ଅନ୍ତର୍ଗତ କେରେଡ଼ି ଅଞ୍ଚଳରେ । ନିଜ ବାପାଙ୍କ ମୃତଦେହକୁ ଛୁଇଁଲେନି ପରିବାର ଲୋକେ । ଶେଷରେ ସଦର ପୁଲିସ୍‌ ଓ ଗ୍ରାମବାସୀଙ୍କ ଅନୁରୋଧ ପରେ କନ୍ଧମାଳ ଜିଲାର ଜଣାଶୁଣା ସ୍ୱେଚ୍ଛାସେବୀ ସଂଗଠନ ଟିମ୍‌ ହ୍ୟୁମାନିଟି କନ୍ଧମାଳର ସଦସ୍ୟ ମାନେ ଯାଇ କରିଥିଲେ ଶବ ସତ୍କାର । ଏହି ଘଟଣା ସମଗ୍ର ଜିଲାରେ ଆଲୋଚ୍ୟ ବିଷୟ ହୋଇଛି । ମୃତକଙ୍କ ଦୁଇଜଣ ଶିକ୍ଷିତ ପୁଅ ସହିତ ଜଣେ ଶିକ୍ଷିତ ଝିଅ ମଧ୍ୟ ଅଛନ୍ତି। ଖବର ପ୍ରକାରେ, ଗତ ୧୩ ତାରିଖ ସକାଳୁ ଫୁଲବାଣୀ ବ୍ଲକ ଅନ୍ତର୍ଗତ କେରେଡି ଗ୍ରାମରେ ଜଣେ ବୃଦ୍ଧ ଶୌଚ ହୋଇ ଯିବାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ବୃଦ୍ଧ ହେଉଛନ୍ତି ନିମାଇଁ ଚରଣ ସାହୁ (୯୦) । ତାଙ୍କର ଦୁଇ ଜଣ ଶିକ୍ଷିତ ପୁଅ ଅଛନ୍ତି, ଏହାସତ୍ତ୍ବେ ଦୀର୍ଘ ସମୟ ଧରି ମୃତଦେହଟି ସେହି ସ୍ଥାନରେ ହିଁ ପଡ଼ି ରହିଥିଲା । ଶେଷରେ ଉଦ୍ଧାର ପାଇଁ କେହି ନ ଆସିବାରୁ ସ୍ଥାନୀୟ ଲୋକେ ଏବଂ ସଦର ଥାନା ଅଧିକାରୀ ଟିମ୍ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଛେଦ ପାଇଁ ନେଇଥିଲେ । ଏହାପରେ ଶେଷକୃତ୍ୟ ସଂପନ୍ନ ପାଇଁ କେହି ନ ଆସିବାରୁ ସଦର ଥାନା ଅଧିକାରୀ ଏବଂ ଗ୍ରାମବାସୀ ଟିମ୍ ହ୍ୟୁମାନିଟି କନ୍ଧମାଳର ସହଯୋଗ ଲୋଡ଼ିଥିଲେ । ଏଭଳି ଏକ ଅଭାବନୀୟ ପରିସ୍ଥିତିକୁ ବୁଝିବା ପରେ ଟିମ୍ ହ୍ୟୁମାନିଟି କନ୍ଧମାଳର ସଦସ୍ୟ ଭି. ଜଗନ୍ନାଥ ରାଜୁ, ସାଇରାମ ପାତ୍ର, ରାଜୀବ ନେତ୍ର ପଟ୍ଟନାୟକ, ଅନୁପ ବିକ୍ରମ ପାତ୍ର, ଅରବିନ୍ଦ ବେହେରା, ରବୀନ୍ଦ୍ର ମହାରଣା ସମସ୍ତ ପ୍ରସ୍ତୁତି କରି ନିକଟସ୍ଥ ଶ୍ମଶାନକୁ ନେଇ ହିନ୍ଦୁ ରୀତି ନୀତି ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ କରି ଫେରିଥିଲେ ।

Exit mobile version