Site icon Awaj Media

ମୁକ୍ତି ସଂଗ୍ରାମର ମହାନ ଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଉ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଭାରତର ମୁକ୍ତି ସଂଗ୍ରାମର ମହାନ ଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ତଥା ଭାରତ ରତ୍ନ ପ୍ରଦାନ କରାଯାଉ । କଟକ ରେଲୱେ ଷ୍ଟେସନକୁ ନେତାଜୀଙ୍କ ନାମରେ ନାମକରଣ କରିବା ସହ ସହରରେ ନେତାଜୀଙ୍କର ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବି ଅଶ୍ୱିନୀ ଉପାଧ୍ୟାୟ ଦାବି କରିଛନ୍ତି । ନେତାଜୀ ସୁଭାଷ ସ୍ମୃତି ସଂସଦ ଆନୁକୂଲ୍ୟରେ ଶହୀଦ ଭବନ ଠାରେ ନେତାଜୀ ସୁଭାଷ ବ୍ୟାଖ୍ୟାନ ମାଳା ୨୦୨୩ ଅନୁଷ୍ଠିତ ହୋଇଯାଇଅଛି । ସ୍ମୃତି ସଂସଦର ସଭାପତି ସଜ୍ଜନ କୁମାର ଶର୍ମା ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ । କଟକ ମାରୱାଡ଼ି ସମାଜ, ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନୀ, ମଙ୍ଗରାଜପୁର ଗୋଶାଳା, ଚୌଧୁରୀ ବଜାର ପଞ୍ଚାୟତ କମିଟି ଏବଂ ବିଭିନ୍ନ ସଂସ୍ଥା ସଂଗଠନ ପକ୍ଷରୁ ଶ୍ରୀ ଉପାଧ୍ୟାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ସ୍ମୃତି ସଂସଦର ସମ୍ପାଦକ ମାନସ ରଞ୍ଜନ ପଣ୍ଡା କାର୍ଯ୍ୟକ୍ରମର ସୂଚନା ଦେଇ ସ୍ୱାଗତ ଭାଷଣ ଦେଇଥିଲେ । ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ନେତାଜୀ ସୁଭାଷ ଏବଂ ସ୍ୱାଧିନତା ସଂଗ୍ରାମ ବିଷୟବସ୍ତୁକୁ ନେଇ ଦୀକ୍ଷାନ୍ତ ଭାଷଣ ଦେଇ କହିଲେ ଦେଶର ମୁକ୍ତି ସଂଗ୍ରାମର ଅନ୍ୟତମ ଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମସ୍ଥାନ ପରିଦର୍ଶନ କରି ମୁଁ ନିଜକୁ ଧନ୍ୟ ମନେ କରୁଛି । ମାତ୍ର ଏହି ନେତାଜୀ ଜନ୍ମସ୍ଥାନ ଅବହେଳିତ ଅବସ୍ଥାରେ ରହିଛି । ଏହା ସବୁଠାରୁ ଲଜ୍ଜାକର ଘଟଣା । ଆବଶ୍ୟକ ପଡିଲେ ମୁଁ ନେତାଜୀଙ୍କ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିବି । ନେତାଜୀଙ୍କୁ ଯେଭଳି ସମ୍ମାନ ମିଳିବା କଥା ତାହା ଏଯାବତ୍ ମିଳି ପାରିନାହିଁ ‌ । ଆମ ଦେଶରେ ଆଇନ ବ୍ୟବସ୍ଥାରେ ବହୁ ତ୍ରୁଟି ବିଚ୍ୟୁତି ରହିଯାଇଛି । ଆଇନ୍ ବ୍ୟବସ୍ଥାରେ ତ୍ରୁଟି ରହିଲେ ଶାସନ ବ୍ୟବସ୍ଥାରେ ମଧ୍ୟ ତ୍ରୁଟି ରହିବ । ତେଣୁ ଦେଶର ଆଇନ୍ ବ୍ୟବସ୍ଥାରେ ସୁଧାର ଆଣିବା ଆବଶ୍ୟକ । ଲୋକତନ୍ତ୍ରର ଅର୍ଥ ଯାହା ବୁଝାଏ, ତାହା ହେଉ ନଥିବାରୁ ଦେଶରେ ଶାସନ ବ୍ୟବସ୍ଥାରେ ମଧ୍ୟ ଅବ୍ୟବସ୍ଥା ଦେଖା ଯାଉଛି । ତେଣୁ ଲୋକତନ୍ତ୍ର କ୍ଷେତ୍ରରେ ସୁଧାର ଆଣିବାର ଏକାନ୍ତ ପ୍ରୟୋଜନ ରହିଛି । ସମ୍ବିଧାନର ସଂଶୋଧନ ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ଶ୍ରୀ ଉପାଧ୍ୟାୟ ନେତାଜୀଙ୍କର ଜୀବନୀ ସମ୍ପର୍କରେ ପାଠ୍ୟ ପୁସ୍ତକରେ ସ୍ଥାନ ଦିଆଯାଉ ବୋଲି ଦାବି କରିଥିଲେ । ନେତାଜୀ ସୁଭାଷ ଚନ୍ଦ୍ର ବୋଷ କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ଭାରତୀୟ ମହାନ ଯୋଦ୍ଧା ଭାବରେ ପରିଚିତ । ଶ୍ରୀ ଉପାଧ୍ୟାୟ ନେତାଜୀଙ୍କର ସ୍ୱାଧିନତା ପୂର୍ବରୁ କର୍ମମୟ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ନେତାଜୀଙ୍କ ଜନ୍ମସ୍ଥାନ କିପରି ଅବହେଳିତ ଅବସ୍ଥାରେ ଅଛି ତାହାକୁ ସାଂସଦ ଏବଂ ବିଧାୟକ ମାନେ ଆସି ଏହାର ଅନୁଧ୍ୟାନ କରନ୍ତୁ ବୋଲି ଶ୍ରୀ ଉପାଧ୍ୟାୟ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ କିଶନଲାଲ ଭରତିଆ, ସ୍ମୃତି ସଂସଦର କାର୍ଯ୍ୟକାରୀ ସଭାପତି ଶମ୍ଭୁନାଥ ଗୋୟଙ୍କା ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଜ୍ୟୋତ୍ସ୍ନା ରାଣୀ ସିଂ ଓ ବିଜୟିନୀ ଦେଶାତ୍ମବୋଧ ସଙ୍ଗୀତ ପରିବେଷଣ କରିଥିଲେ । ବସନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version