ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ସଡ଼କ ସୁରକ୍ଷା ସଚେତନତା ସପ୍ତାହ ପାଳନ ଜାରି ରହିଥିବା ବେଳେ ଆଜି ନୟାଗଡ଼ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥସାହୁ ଯୋଗ ଦେଇଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି ସ୍ୱତନ୍ତ ଅତିଥି ଭାବରେ ଯୋଗ ଦେଇଥିଲେ । ନୟାଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାପାଳ ସଡ଼କ ସୁରକ୍ଷା ଉପରେ ସଚେତନ କରିଥିଲେ ।ଏହି ବୈଠକରେ ଜିଲ୍ଲାପାଳ ଏବଂ ଏସପି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ରଖିଥିଲେ ! ଯାହାକି ଆଜିକାଲି ଲୋକ ମାନେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ଡରୁଛନ୍ତି ! ବୋଧହୁଏ ତାଙ୍କ ନାମରେ କୌଣସି କେଶ କିମ୍ବା ସାକ୍ଷୀ ଦେବାକୁ ପଡିବ ! ଏଥିପାଇଁ ଜିଲ୍ଲା ଏସପି ସ୍ପଷ୍ଟ କରିଛନ୍ତି କି ଉଦ୍ଧାର କରିଥିବା ବ୍ୟକ୍ତି ନିଜର ପରିଚୟ ନିଜ ଇଚ୍ଛା ରେ ଦେଇପାରିବେ ଏବଂ କୌଣସି ପ୍ରକାର ଡର ନରଖି ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ପରାମର୍ଶ ଦେଇଛନ୍ତି l
ଏହି ଅବସରରେ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ କରିଥିବା ୮ ଜଣ ବ୍ୟକ୍ତି ଙ୍କୁ ଜିଲ୍ଲାପାଳ ଓ ଏସପି ସମ୍ବର୍ଦ୍ଧିତ କରିଥିଲେ । ରାଜକିଶୋର ପ୍ରଧାନ, ବିଜୟ କୁମାର ସାହୁ, କୃଷ୍ଣଚନ୍ଦ୍ର ବେହେରା, ବିଜୟ କୁମାର ନାୟକ, ଗୋଲଖ ବିହାରୀ ଗୋଚ୍ଛାୟତ, ସୁବ୍ରତ କୁମାର ମିଶ୍ର, କେଦାରନାଥ ସାହୁ ଏବଂ ସତ୍ୟ ପ୍ରକାଶ ସୁବୁଦ୍ଧିଙ୍କୁ ୨ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ସହ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ ।

