କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଜ୍ୱାଇଁର ଛୁରା ମାଡ଼ରେ ଶଶୁରଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଗୁଳିମରା ସାହିରେ । ମୃତକ ହେଲେ ଗୁଳିମରା ସାହିର ଟୁନା ପ୍ରଧାନ । ଖବର ଅନୁସାରେ, ଟୁନା ପ୍ରଧାନଙ୍କ ଝିଅ ବ୍ରହ୍ମପୁର ଗେଟ ବଜାର ଅଞ୍ଚଳର ସିମାଞ୍ଚଳ ଚୌଧୁରୀଙ୍କୁ ବିବାହ କରିଥିଲେ । ସେଠାରେ ସିମାଞ୍ଚଳ ତାଙ୍କ ସ୍ତ୍ରୀଙ୍କୁ ନିର୍ଯାତନା ଦେବାରୁ ସେ ଆସି ବାପ ଘର ବାଲିଗୁଡାରେ ରହୁଥିଲେ। ବୁଧବାର ସନ୍ଧ୍ୟାରେ କୌଣସି କାରଣରୁ ଜ୍ୱାଇଁ ମଦ୍ୟ ପାନ କରି ଶ୍ୱଶୁରଙ୍କ ସହିତ ପ୍ରବଳ ଝଗଡ଼ା କରିଥିଲେ । ପରେ ଏହା ଉଗ୍ର ରୂପ ନେବାରୁ ସିମାଞ୍ଚଳ ଏକ ଧାରୁଆ ଛୁରୀରେ ଶ୍ୱଶୁର ଟୁନାଙ୍କୁ ଆକ୍ରମଣ କରିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ହତ୍ୟା ଅଭିଯୁକ୍ତ ନରହନ୍ତା ଜ୍ୱାଇଁକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି ।
ଜ୍ୱାଇଁର ଛୁରାମାଡ଼ରେ ଶଶୁର ମୃତ : ଅଭିଯୁକ୍ତ ଜ୍ୱାଇଁ କୁ ଅଟକ ରଖିଛି ପୋଲିସ୍ !!!

