ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଭଳିକି ଭଳି ସୁସ୍ଵାଦୁ ବ୍ୟଞ୍ଜନ ର ଲାଗିଛି ପସରା । ପାରମ୍ପାରିକ ପୋଡ଼ ପିଠା ଠାରୁ ଆରମ୍ଭ କରି ଗୁପଚୁପ୍, ପାମ୍ପଡି ଚାଟ, ଚାୱମିନ୍ ସାଙ୍ଗକୁ ଚକୁଳୀ ମାଂସ ତରକାରୀ ବାସ୍ନା ରେ ମହକୁଛି ଖାଦ୍ୟ ମେଳା । ଏହା କୁ ଖାଇବା ପାଇଁ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ସହିତ ସ୍ଥାନୀୟ ଜନସାଧାରଣ ଙ୍କ ବିଭିନ୍ନ ଷ୍ଟଲ୍ ରେ ଲାଗିଛି ଭିଡ଼। ଏଭଳି ନିଆରା କାର୍ଯ୍ୟକ୍ରମ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ଅସୁରେଶ୍ଵର ସୁଭଦ୍ରା ମହତାବ ମହାବିଦ୍ୟାଳୟ ରେ ଆୟୋଜିତ ହୋଇଯାଇଛି ଦ୍ଵିତୀୟ ବାର୍ଷିକ ଖାଦ୍ୟ ମେଳା ।
ସୁଭଦ୍ରା ମହତାବ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ଦିଲ୍ଲିପ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଖାଦ୍ୟ ମେଳା ରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରୋଜୀ ସେଠୀ, ନିଶ୍ଚିନ୍ତକୋଇଲି ତହସିଲ ର ଅତିରିକ୍ତ ତହସିଲଦାର କ୍ରିଷ୍ଣା ପାଢି, ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ଗିରୀଶ ରଞ୍ଜନ ମହାପାତ୍ର, ଅସୁରେଶ୍ଵର ପଞ୍ଚାୟତ ର ସରପଞ୍ଚ ଗୋତମୀ ଦାସ, ସମାଜସେବୀ ଅନନ୍ତ କୁମାର ଦାସ ପ୍ରମୁଖ ଯୋଗଦେଇ ପ୍ରାରମ୍ଭ ରେ ଦୀପ ପ୍ରଜ୍ବଳନ କରିବା ସହିତ ରିବନ୍ କାଟି ଖାଦ୍ୟ ମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ! ଛାତ୍ରଛାତ୍ରୀ ମାନଙ୍କ ଷ୍ଟଲ୍ ରେ ବିଭିନ୍ନ ଖାଦ୍ୟ ଖାଇ ସେମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଖାଦ୍ୟ ମେଳାରେ ମହାବିଦ୍ୟାଳୟ ର ବିଭିନ୍ନ ବିଭାଗ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ୩୩ ଗୋଟି ଷ୍ଟଲ୍ ପଡ଼ିଥିବା ବେଳେ ୯୩ ପ୍ରକାର ରୁ ଅଧିକ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ । ଶିକ୍ଷା ସହିତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା ଏବଂ ନିଜେ କିଭଳି ଆତ୍ମ ନିର୍ଭରଶୀଳ ହୋଇପାରିବେ ଏହି ଖାଦ୍ୟ ମେଳେ ର ମୂଳ ଲକ୍ଷ ବୋଲି ଉପସ୍ଥିତ ଅତିଥି ମାନେ ମତ ପ୍ରକାଶ କରିଥିଲେ ।

