ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ପୁରୁଣା ରାଜବାଟୀ ରେ ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଦ୍ୱାରା ସାମ୍ବାଦିକ ବନ୍ଧୁମିଳନ ଆୟୋଜିତ ! ନୟାଗଡ଼ର କିଛି ଛାମୁଆ ବିଜେପି ନେତା ଓ ନୟାଗଡର ସାମ୍ବାଦିକ ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଅଣ୍ଟା ଭିଡିଛନ୍ତି ନୟାଗଡ ବିଜେପି କର୍ମୀ । ୨୦୧୯ ନିର୍ବାଚନରେ ବିଜେପିରୁ ଇରାନୀ ରାୟ ଟିକେଟ ପାଇଥିବା ବେଳେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ତାଙ୍କୁ ସହାୟତା କରିଥିଲେ। କିନ୍ତୁ ୨୦୨୪ କୁ ଆଖି ଆଗରେ ରଖି ବିଜେପିରୁ ନୟାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିବା ପାଇଁ ଦଳ ସଂଗଠନକୁ ମଜବୁତ୍ କରୁଛନ୍ତି ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ । ବିଜେପିରୁ ଜିଲ୍ଲା ପରିଷଦ ଲଢିଥିବା ପ୍ରାର୍ଥୀ ମାନଙ୍କୁ ଏକାଠି କରି ସଂଗଠନକୁ ମଜବୁତ୍ କରୁଛନ୍ତି । ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଇରାନୀ ରାୟ ନୟାଗଡ ବିଜେପିରୁ ୨ ଥର ଲଢି ପରାସ୍ତ ହୋଇଛନ୍ତି କିନ୍ତୁ ଏଥର ଏହି ଦୁଇଙ୍କ ମଧ୍ୟରୁ କିଏ ରଣାଙ୍ଗନକୁ ଓହ୍ଲାଇବେ ନିଷ୍ପତ୍ତି ହୋଇ ନଥିବା ବେଳେ ପ୍ରତ୍ୟୁଷା ରାଜେଶ୍ୱରୀ ବିଜେପି ଦଳର ସଂଗଠନକୁ ମଜବୁତ୍ କରିବାରେ ଲାଗିଛନ୍ତି । ସେ ନୟାଗଡ଼ର ୧୩ ଗୋଟି ସମସ୍ୟାକୁ ଅଗ୍ରାଧିକାର ଭିତ୍ତିରେ ମୁଦା କରି ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହୋଇଛନ୍ତି ।
ନୟାଗଡ ବିଜେପି ତରଫରୁ ଗୁରୁତ୍ୱ ଦିଆଯାଇଥିବା ସମସ୍ୟା ସବୁ ହେଲା – ଚାଷୀମାନଙ୍କର ଧାନକିଣାକୁ ଶୃଙ୍ଖଳାର ସହ ସମାପ୍ତ କରାଯାଉ, ପାନୀୟ ଜଳ ଯୋଗାଣ, ଗମନାଗମନ ସୁବିଧା, ବିଦ୍ୟୁତ୍ କାଟର ସମସ୍ୟା, ସରକାରୀ କଳ ଶାସକ ଦଳର ହାତବାରିଶି ନ ହୋଇ ନିରପେକ୍ଷ ଭାବେ କାର୍ଯ୍ୟ କରିବା, ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ବିଭାଗରେ ଡାକ୍ତର ନିଯୁକ୍ତି ତଥା ଆଇସିୟୁ ବ୍ୟବସ୍ଥା, ମେଡ଼ିକାଲ କଲେଜ ପ୍ରତିଷ୍ଠା କରିବା, ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରିବା, ନୟାଗଡ଼ ପ୍ରଜାମଣ୍ଡଳ ମହାବିଦ୍ୟାଳୟକୁ ସରକାରୀ ମହାବିଦ୍ୟାଳୟର ମାନ୍ୟତା ଦିଆଯିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସଠିକ୍ ଗରିବ ଲୋକଙ୍କୁ ଘର ପ୍ରଦାନ କରିବା, ଚାଷୀଙ୍କ ସୁବିଧା ନିମନ୍ତେ ଶୀତଳ ଭଣ୍ଡାର ନିର୍ମାଣ କରିବା, ଗରିବ ଲୋକଙ୍କୁ ଦଳୀୟ ଆକ୍ରୋଶରୁ ରକ୍ଷା କରିବା, ନୟାଗଡର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଜନସାଧାରଣଙ୍କ ସହ ପର୍ଯ୍ୟାୟ କ୍ରମେ ଆଲୋଚନା ଏବଂ ମତାମତ ନେଇ ଖସଡ଼ା ପ୍ରସ୍ତୁତ କରିବା, ପ୍ରତି ମାସରେ ଜନସାଧାରଣଙ୍କ ନିମନ୍ତେ ଅଭିଯୋଗ ପ୍ରକୋଷ୍ଠ ଖୋଲି ସେମାନଙ୍କ ସମସ୍ୟା ସମାଧାନ କରିବା ଆଦି ସମସ୍ୟାକୁ ନେଇ ପ୍ରତ୍ୟୁଷା ଦେବୀ ନିର୍ବାଚନ ଲଢ଼ିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏପରିକି ଯଦି ବିଜେପିରୁ ଟିକେଟ ନ ମିଳେ ତଥାପି ସେ ନୟାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

