ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍କକ ଅନ୍ତର୍ଗତ ତାଳବସ୍ତ ଗ୍ରାମ ପଞ୍ଚାୟତର ବହୁ ପୌରାଣିକ କିମ୍ବଦନ୍ତୀ ଆଧାରିତ ପ୍ରାଚୀନ ଶୈବପୀଠ ଶ୍ରୀ ଶ୍ରୀ କପିଳେଶ୍ବର ଦେବଙ୍କ ପୀଠରେ ଚତୁର୍ଦ୍ଦିନ ବ୍ୟାପୀ ବିଶ୍ବଶାନ୍ତି ମହାଯଜ୍ଞ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । କଳି କଳୁଷିତ ଜୀବଜଗତର ସନ୍ତାପହରଣ ତଥା ସମଗ୍ର ବିଶ୍ବରେ ଅଖଣ୍ତ ଶାନ୍ତି ପ୍ରତିଷ୍ଠାର୍ଥେ ପ୍ରତି ବର୍ଷ ମାଘ ଚତୁର୍ଥରୁ ସପ୍ତମୀ ପର୍ଯ୍ୟନ୍ତ ଏଠାରେ ମହାଯଜ୍ଞ କରାଯାଇଥାଏ ।
ଜାନୁୟାରୀ ୨୫ ତାରିଖରେ ଅଙ୍କୁରୋପଣ କରାଯାଇ ୨୬ ତାରିଖରେ କଳସାଧିବାସ, ଅଗ୍ନି ସ୍ଥାପନ କରାଯଇଥିଲା । ୨୬ ତାରିଖରେ ସୂର୍ଯ୍ୟପୂଜା, ଗୋପୁଜା, ଦେବପୂଜା ,ଚଣ୍ତିପାଠ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଶେଷ ଦିବସରେ ପୂର୍ଣ୍ଣାହୂତି ସହ ହଜାର ହଜାର ଭକ୍ତଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା କରାଯାଇଥିଲା । ଲୋକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ତାଳବସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ଏକ ଅସ୍ଥାୟୀ ଆଶୁ ପ୍ରାଥମିକ ଚିକିତ୍ସାକେନ୍ଦ୍ର ଖୋଲା ଯାଇଥିଲା । ମନ୍ଦିରର ପରିଚାଳନା କମିଟିର ସଭାପତି ଗୋବିନ୍ଦ ଦାସଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ସଂପାଦିତ ହୋଇଥିଲା ।
୨୮ ତାରିଖର ବିଶ୍ବଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ଉତ୍ସବରେ ବାଙ୍କୀ ବିକାଶ ମଞ୍ଚର ଆବାହାକ ତଥା ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢୀ, ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ , ୩୮ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ସାହୁ , ତାଳବସ୍ତ ପଞ୍ଚାୟତର ସରପଂଚ ଙ୍କ ପ୍ରତିନିଧି ଆଲୋକ କୁମାର ସାହୁ ପ୍ରମୂଖ ଯୋଗ ଦେଇ ଇଷ୍ଟଦେବତାଙ୍କ ଦର୍ଶନ ପୂର୍ବକ ବିଭୁକୃପା ଲାଭ କରିଥିଲେ । ସମସ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ଯୁବ ସମାଜସେବୀ ଅକ୍ଷୟ କୁମାର ବେହେରା, ସୁଶାନ୍ତ କୁମାର ମହାରଣା, ପ୍ରଫୁଲ କୁମାର ସାହୁ, ବାବୁ ଦାସ, ପ୍ରଦୀପ୍ତ କୁମାର ପୃଷ୍ଟି , ବଂଶୀଧର ସ୍ବାଇଁ ,ସିଂହନାଥ ବସ୍ତି ପ୍ରମୂଖ ପରିଚାଳନାରେ ସହଯୋଗ କରିଥିଲେ ।

