Site icon Awaj Media

ଅବହେଳିତ ଅବସ୍ଥାରେ ପଡି ରହିଛି ତାଳବସ୍ତର ବହୁ ପ୍ରାଚୀନ ମା ‘ ବାଉତୀ ମନ୍ଦିର !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍କକ ଅନ୍ତର୍ଗତ ତାଳବସ୍ତ ପଞ୍ଚାୟତର ମୂଖ୍ୟ ବଜାର ଠାରୁ ମଠସାହି ଦେଇ ପଦନପୁର ପାଣ୍ତବଗୁମ୍ଫା ସୀମାନ୍ତକୁ ଗଲେ ମା ବନଦୁର୍ଗା ତଥା ବାଉତୀ ଠାକୁରାଣୀଙ୍କ ପୀଠ ପଡେ । ଜନବସିତ ଠାରୁ ବହୁ ଦୂରରେ ଜଙ୍ଗଲ ଭିତରେ ପୀଠଟି ଅବସ୍ଥିତ ଥିବାରୁ ବର୍ଷ ସାରା ଦର୍ଶନ ସାଙ୍ଗକୁ ବଣଭୋଜି କରିବାକୁ ଭକ୍ତମାନେ ଆସିଥାନ୍ତି । ଡମପଡାର ତତ୍କାଳିନ ରାଜା ରାମଚନ୍ଦ୍ରଙ୍କର ବନବାସ ଏବଂ ତାଳବସ୍ତର ମହାଜନ ପରିବାରର ପୃଷ୍ଠଭୂମି ଏହି ମନ୍ଦିର ସହିତ ଜଡିତ ରହିଛି । କେବଳ ଭକ୍ତମାନଙ୍କ ଦ୍ବାରା ମନ୍ଦିର ରୋଷଘର ,ମଣ୍ତପ ଓ ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟମାନ କରାଯାଇଛି । ପଣାସଂକ୍ରାନ୍ତିରେ ୧୨୦ ହାତ ଝାମୁ , ତ୍ରିବେଣୀ ଅମାବାସ୍ୟାରେ ଜନ୍ତାଳ ଭୋଗ ,ରଜ ସମୟରେ କୁମାରୀବେଶ ପରି ବିଭିନ୍ନ ପର୍ବ ପର୍ବାଣୀରେ ବହୁଲୋକଙ୍କର ସମାବେଶ ଘଟେ ।

ବିଲରେ ଭଲ ଅମଳ ହେଉ କିମ୍ବା ଭଲ ବର୍ଷା ହେବା ପାଇଁ ଚାଷୀଟିଏ ମା ବାଉତୀଙ୍କୁ ହିଁ ସ୍ମରଣ କରି ପୂଜାର୍ଚ୍ଚନା କରିଥାଏ । ଅସାଧ୍ୟ ଦୂରାରୋଗ୍ୟ ଏବଂ ମନସ୍କାମନା ବହୁ ଭକ୍ତଙ୍କର ପୁରଣ ହୋଇଥିବାର ଭ୍ରମଣ କରିବାକୁ ଆସୁଥିବା ଭକ୍ତମାନେ କୁହନ୍ତି । ତାଳବସ୍ତର ସ୍ବର୍ଗତ ସଚିଦାନନ୍ଦ ସାହୁଙ୍କର ମା ବାଉତୀଂକୁ ପୂଜା ପରେ ତାଙ୍କ କୋଳ ମଣ୍ତନ ହୋଇଥିଲା ।ତାଙ୍କର ସୁପୁତ୍ର ପ୍ରଫେସର ହୃଦାନନ୍ଦ ସାହୁ ବର୍ତ୍ତମାନ ସମୟରେ ମନ୍ଦିର ତିଆରି ସହିତ ମା ବାଉତୀଙ୍କ ମହିମାକୁ ଭଜନ କ୍ୟାସେଟ୍ ମାଧ୍ୟମରେ ପ୍ରଚାର ପ୍ରସାର କରୁଛନ୍ତି । ଏଠାକୁ ଯିବା ଆସିବା କରିବା ପାଇଁ ବିଲହୁଡାରେ ପାଦଚଲା ରାସ୍ତା ହେଉଛି ଏକମାତ୍ର ମାଧ୍ୟମ । ଜଣେ ପୂଜକ ଭାଇନା ପ୍ରତିଦିନ ବହୁକଷ୍ଟରେ ଏଠାକୁ ପୂଜା କରିବାକୁ ଆସୁଛନ୍ତି । ବ୍କକ ପ୍ରଶାସନ ଏବଂ ସ୍ଥାନୀୟ ଜନ ପ୍ରତିନିଧିଙ୍କର ଇଛାଶକ୍ତି ରହିଲେ ମନ୍ଦିରଟି ଲୋକ ଲୋଚନକୁ ଆସି ପାରନ୍ତା । ପୀଠ ପରିସରକୁ ଭଲ ପକ୍କା ରାସ୍ତା ଏବଂ ବିଦ୍ୟୁତ ସଂଯୋଗ ସହିତ ଚତୁଃପାର୍ଶ୍ବକୁ ପ୍ରାଚୀର ଦ୍ବାରା ଆବଦ୍ଧ କରିବା ନିହାତି ଆବଶ୍ୟକ ହେଉଛି । ତାଳବସ୍ତର ସାମାଜିକ କର୍ମୀ ଦିବ୍ୟଜୋତି ପ୍ରସାଦ, ପିତବାସ ସାହୁ , ସୁଶାନ୍ତ ମହାରଣା ପ୍ରମୂଖ ଏହି ଅବହେଳିତ ପୀଠକୁ ସହଯୋଗର ହାତ ବଢାଇବାକୁ ବାଙ୍କୀ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

Exit mobile version