Site icon Awaj Media

ପ୍ରଥମ ସୂର୍ଯ୍ୟମଣି ସ୍ମାରକୀ ଶିକ୍ଷା ପୁରସ୍କାର ବିତରଣ ଉତ୍ସଵ !!!

Spread the love

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଆରିକମା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଙ୍କର ମହାପାତ୍ରଙ୍କ ବିଦାୟ କାଳୀନ ଉତ୍ସବ ପାଳନ ଅବସରରେ ପ୍ରଥମ ସୂର୍ଯ୍ୟମଣି ସ୍ମାରକୀ ଶିକ୍ଷା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସଵ ଟି ନବ ଗଠିତ ଆରିକମା ଗ୍ରାମ ଉନ୍ନୟନ ସମିତି ତରଫରୁ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ଆରିକମାର ସହଯୋଗରେ ପାଳନ କରାଯାଇଛି । ଶଙ୍କରପୁର, ଆରିକମା ଗ୍ରାମର ସ୍ବର୍ଗତା ସୂର୍ଯ୍ୟମଣି ବେହେରାଙ୍କ ପରିବାର ତାଙ୍କର ପୁତ୍ର ପୂର୍ଣଚନ୍ଦ୍ର ବେହେରା, ଡକ୍ଟର ବାସୁଦେବ ବେହେରା ଓ ଡକ୍ଟର ସୁଦର୍ଶନ ବେହେରାଙ୍କ ଆନ୍ତରିକ ସହଯୋଗରେ ଚଳିତ ବର୍ଷ ପ୍ରଥମ କରି ସୂର୍ଯ୍ୟମଣି ଦେବୀଙ୍କ ସ୍ମୃତିରେ ଏହି ସୂର୍ଯ୍ୟମଣି ସ୍ମାରକୀ ଶିକ୍ଷା ପୁରସ୍କାର, ଗ୍ରାମର ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ପ୍ରଚଳନ କରାଯାଇଛି । ପ୍ରତ୍ୟେକ ବର୍ଷ ଏହି ପୁରସ୍କାର ପ୍ରଦାନ ସହିତ ଗ୍ରାମର ସର୍ବାଙ୍ଗିନ ଉନ୍ନତି କଳ୍ପେ, ବର୍ତମାନ ପାଇଁ, ବାର ଜଣ ଉତ୍ସଗିକୃତ ସଭ୍ୟଙ୍କୁ ନେଇ ଆରିକମା ଗ୍ରାମ ଉନ୍ନୟନ ସମିତି ଶଙ୍କର ମହାପାତ୍ରଙ୍କ ଉପସ୍ଥିତିରେ ଗଠନ କରାଯାଇଥିଲା । ଏହାର ଉପଵିଧି ଅନୁଯାୟୀ , ଏହି ସମିତିରେ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ଆରିକମା ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଶଙ୍କରପୁର, ଆରିକମାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ଥାୟୀ ସଭ୍ୟ ଅଛନ୍ତି । ଏପରି ଏକ ସମିତିରେ ବର୍ଷିଆନ ଶିକ୍ଷକ ଭଗବାନ ମହାପାତ୍ର – ସଭାପତି ଓ ଶିକ୍ଷକ ଅମରବର ସାହୁ ଉପ ସଭାପତି ଥିଲାବେଳେ, ଡକ୍ଟର ସୁଦର୍ଶନ ବେହେରା, ସମ୍ପାଦକ ଏବଂ ପ୍ରଭାତ କୁମାର ସାହୁ କୋଷାଧକ୍ଷ ଅଛନ୍ତି । ଏହି ସମିତି ଦ୍ଵାରା ଗ୍ରାମର ବିଦ୍ୟାଳୟ ଗୁଡିକର ଦଶମ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀରୁ ସର୍ବୋଚ୍ଚ ନମ୍ବର ରଖିଥିବା ଚାରି ଜଣ ଛାତ୍ର / ଛାତ୍ରୀ ଯଥା ସ୍ମୃତି ରଞ୍ଜନ ପଣ୍ଡା ଦଶମ, ରଶ୍ମି ପ୍ରତିଭା ଯତୀ ଅଷ୍ଟମ, ଦୀନବନ୍ଧୁ ଦଳାଇ ପଞ୍ଚମ ଓ ସ୍ୱାଧୀନ ସୌରଭ ସ୍ୱାଇଁ ପଞ୍ଚମ ଆଦିଙ୍କୁ ସାର୍ଟିଫିକେଟ, କପ ସହ ଏକ ହଜାର ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା । ଏତତ ବ୍ୟତିତ, ବିଭିନ୍ନ ଖେଳକୁଦ, ବକ୍ତୃତା ଓ ସାଧାରଣ ଜ୍ଞାନ ଇତ୍ୟାଦି ପ୍ରତିଯୋଗୀତାରେ ଉତ୍ତୀର୍ଣ୍ଣ ହୋଇଥିବା 25 ଜଣ ଛାତ୍ର / ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ସହ ପୁରସ୍କାର ବିତରଣ କରାଯାଇଥିଲା । ସୂଚନା ଅନୁଯାୟୀ ସମିତିଟି ପଞ୍ଜିକରଣ ପରେ ପରେ ସୂର୍ଯ୍ୟମଣିଙ୍କ ପରିବାର ତରଫରୁ ବର୍ତମାନ ପାଇଁ ଚାରି ଲକ୍ଷ ଟଙ୍କାର ଏକ ସ୍ଥାୟୀ ଜମାରୁ ଉପାର୍ଜିତ ସୁଧ ଅର୍ଥରେ ଚିରନ୍ତନ ଏହା ପ୍ରଚଳନ କରାଯିବ । ଆଗାମୀ ବର୍ଷ ଗୁଡିକରେ, କୃତି ଛାତ୍ର/ଛାତ୍ରୀ ମାନଙ୍କ ଉତ୍ସାହ ବଢ଼ାଇବା ନିମନ୍ତେ ପୁରସ୍କାର ରାଶିରେ ଧୀରେ ଧୀରେ ବୃଦ୍ଧି କରାହେବ ବୋଲି ଗ୍ରାମ ଉନ୍ନୟନ ସମିତିର କର୍ମକର୍ତ୍ତା ମନେ ପ୍ରକାଶ କରିଛନ୍ତି । ଏହି ସଭାରେ ଶଙ୍କର ମହାପାତ୍ର ସଭାପତିତ୍ୱ କରିଥିଲା ବେଳେ, ଆରିକମା ଗ୍ରାମ ଉନ୍ନୟନ ସମିତିର ସାଧାରଣ ସମ୍ପାଦକ ଡକ୍ଟର ସୁଦର୍ଶନ ବେହେରା ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version