ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଜଣେ ବିବାହିତା ମହିଳା ନିଜ ସ୍ବାମୀ ଓ ୪ ବର୍ଷର କନ୍ୟା ସନ୍ତାନକୁ ଛାଡି ପ୍ରେମିକ ସହ ରହିବା ପାଇଁ ମଙ୍ଗଳବାର ରାତିରେ ସୁକିନ୍ଦା ଥାନାର ଦ୍ବାରସ୍ଥ ହୋଇଥିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । କେନ୍ଦୁଝର ଜିଲ୍ଲା ନଦିପଦା ଥାନା ଅନ୍ତର୍ଗତ ଅଢେଇଦ୍ଵାର ଗ୍ରାମ ଚକ୍ରଧର ସାହୁଙ୍କ 23 ବର୍ଷୀୟ ପୁଅ ମଦନ ସାହୁ ଗତ ୬ ବର୍ଷ ପୂର୍ବେ ହରିଚନ୍ଦନପୁର ଥାନା ଅନ୍ତର୍ଗତ ଶଙ୍କର ମହାରଣାଙ୍କ 20 ବର୍ଷର ଝିଅ ଶିଳ୍ପା ମହାରଣାକୁ ବିବାହ କରିଥିଲେ । ଶିଳ୍ପା ଗତ କିଛି ଦିନ ପୂର୍ବରୁ ବାପ ଘରକୁ ଯାଇଥିବା ବେଳେ ଗତ ୨୮ ତାରିଖରେ ବାପଘରୁ ନିଖୋଜ ହୋଇଥିବା ନେଇ ଶଙ୍କର ମହାରଣା ହରିଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସୁକିନ୍ଦା ଥାନା ଅନ୍ତର୍ଗତ ପିମ୍ପୁଡିଆ ଗ୍ରାମର ଈଶ୍ୱର ମହାରଣାଙ୍କ 20 ବର୍ଷୀୟ ପୁଅ ବାପୁଜୀ ମହାରଣାଙ୍କ ସହ ଶିଳ୍ପା ମହାରଣା ମଙ୍ଗଳବାର ରାତିରେ ସୁକିନ୍ଦା ଥାନାର ଦ୍ବାରସ୍ଥ ହୋଇ ବାପୁଜୀ ସହ ଜୀବନ ବିତାଇବା ପାଇଁ କହିଥିଲେ । ତାଙ୍କ ପୂର୍ବତନ ସ୍ବାମୀ ମଦନ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା କାରଣରୁ ସେ ତାଙ୍କ ପାଖରେ ନରହି ବାପୁଜୀ ସହ ଜୀବନ ବିତାଇବା ପାଇଁ ସ୍ଥିର କରିଥିବା ଜଣାଇଥିଲେ । ଖବର ପାଇ ମଦନ ସାହୁ ସୁକିନ୍ଦା ଥାନାରେ ପହଞ୍ଚିଥିଲେ । ଘଟଣା ସମ୍ପର୍କରେ ପୋଲିସ ମଦନ ସାହୁର ମତାମତ ନେଇଥିଲେ, ଶିଳ୍ପା ମହାରଣା ଯେଉଁଠି ରହିବାକୁ ଚାହୁଛି ରହୁ, ତାଙ୍କର ଏଥିରେ ପ୍ରତିବାଦ ନାହିଁ ବୋଲି ମଦନ ସାହୁ ସ୍ପଷ୍ଟ କରିଥିଲେ । ତେବେ ତାଙ୍କର କନ୍ୟା ସନ୍ତାନକୁ ମଦନ ସାହୁ ରଖିବେ ବୋଲି ସୁକିନ୍ଦା ଥାନାରେ କହିଥିଲେ । ଶିଳ୍ପା ମହାରଣା ମଧ୍ୟ ଏହି ନିଷ୍ପତିରେ ଏକମତ ହୋଇଥିବା ଜଣାପଡିଛି । ଏନେଇ ମଙ୍ଗଳବାର ରାତିରେ ଦୁଇ ପକ୍ଷ ମଧ୍ୟରେ ଥାନାରେ ଏକ ଚୁକ୍ତି ସ୍ଵାକ୍ଷରିତ ହୋଇଥିଲା, ଯେଉଁଥିରେ ଉଭୟ ପକ୍ଷ କେହି କାହାକୁ ହଇରାଣ କରିବେ ନାହିଁ କିମ୍ବା ଦ୍ଵିତୀୟ ବିବାହ କଲେ କାହାର କିଛି ଆପତ୍ତି ନାହିଁ ବୋଲି ଲେଖା ହୋଇଛି । ଏହି ସମୟରେ ଶିଳ୍ପା ମହାରଣା, ବାପୁଜୀ ମହାରଣା ଓ ମଦନ ସାହୁଙ୍କ ପରିବାର ବର୍ଗଙ୍କ ସହ ପିମ୍ପୁଡ଼ିଆ ସରପଞ୍ଚ ତପନ ନାୟକ ପ୍ରମୁଖଙ୍କ ଉପସ୍ଥିତରେ ଏହି ଚୁକ୍ତିନାମା ହୋଇଥିବା ଦେଖିବାକୁ ମିଳିଛି ।
ସ୍ବାମୀ ଓ ଝିଅକୁ ଛାଡି ପିମ୍ପୁଡ଼ିଆ ଗ୍ରାମରେ ପ୍ରେମିକ ସହ ରହିଲେ ମହିଳା !!!

