କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ପବିତ୍ର ମହା ଶିବରାତ୍ରୀ , ଜାଗର ଯାତ୍ରା ଅବସରରେ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳର ପ୍ରତ୍ୟେକ ଶୈବପୀଠ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ଚଳଚଞ୍ଚଳ ହୋଇ ଉଠିଥିଲା । ପୂର୍ବ ରାତ୍ରରୁ ଦେବନୀତି ସମ୍ପନ୍ନ କରା ଯାଇଥିଲା । ପ୍ରତ୍ୟୁଷରୁ ମନ୍ଦିର ସାହାଣ ମେଲା ହୋଇଥିଲା । ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଧାଡିରେ ଯାଇ ଠାକୁରଙ୍କୁ ଦର୍ଶନ, ପାଣିଲାଗି, କେତକୀ ଫୁଲ ଲାଗି ଓ ପୂଜାର୍ଚ୍ଚନା କରିଥିଲେ । ମନ୍ଦିର ବେଢାରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମନୋସ୍କାମନା ପୂରଣ ନିମନ୍ତେ ଜାଗର ଜାଳି ରାତି ତମାମ ଉଜାଗର ରହିଥିଲେ । ଟାଉନ ର ବିରୁପାକ୍ଷ ମନ୍ଦିର, ରାମେଶ୍ୱର ମନ୍ଦିର, ଦଣ୍ଡପଦରର ବାବା ଧବଳେଶ୍ୱର ପୀଠ, କଟାଙ୍ଗୀ ର କପିଳେଶ୍ଵର ଶୈବପୀଠ , ଜାଲେଶପଟ୍ଟା ର ଜଳେଶ୍ୱର ପୀଠ, ସୁରୁବାଲିର ଖଡ଼ଗେଶ୍ୱର, ଚକାପାଦ ର ବିରୁପାକ୍ଷ ମନ୍ଦିର ସମେତ ସମସ୍ତ ଶୈବପୀଠ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ଲାଗି ରହିଥିଲା । ଶୈବପୀଠ ମାନଙ୍କୁ ରଙ୍ଗବେରଙ୍ଗର ଉଜ୍ଜ୍ୱଳ ଆଲୋକରେ ଆଲୋକିତ କରାଯାଇଥିଲା । ସନ୍ଧ୍ୟା ରେ ଅଞ୍ଚଳର ପ୍ରତ୍ୟେକ ଶୈବପୀଠ ମାନଙ୍କରେ ପାଲା, ଦାସକାଠିଆ, ଶ୍ରୀରାମ ଲୀଳା ଓ ବାଦୀପାଲା ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା ।
ବାଲିଗୁଡା ର ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ : ଦେବନୀତି ସମ୍ପନ୍ନ !!!

