Site icon Awaj Media

ସରିଲା ଓଡ଼ିଶା ପ୍ରସିଦ୍ଧ ବାଣପୁର ପଞ୍ଚୁଦୋଳ ଯାତ୍ରା : ଲକ୍ଷାଧିକ ଭକ୍ତଙ୍କ ସମାବେଶ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ପଲଟଣ ପଡ଼ିଆରେ ବିଗତ ୩୦୦ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଥିବା ବାଣପୁର ପଞ୍ଚୁଦୋଳ ଯାତ୍ରା ସୋମବାର ସନ୍ଧ୍ୟାରେ ଲକ୍ଷାଧିକ ଶ୍ରଦ୍ଧାଳୁ ମାନଙ୍କ ସମାଗମ ଓ ଉପସ୍ଥିତି ରେ ସମାପନ ହୋଇଛି । ରବିବାର ବିଳମ୍ବିତ ରାତ୍ରୀରେ ସ୍ଥାନାଧିପତି ପତି ଶ୍ରୀ ଶ୍ରୀ ଚରଣ ଚକାଦେବଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ଶ୍ରୀ ଦକ୍ଷେଶ୍ୱର, ମା ଭଗବତୀ ଆଠ ଆସନର ଇଷ୍ଟ ଦେବ ରଙ୍କନାଥ ଦେବ, ନଅ ଦେଉଳର ମୁଖ୍ୟ ଉମାମହେଶ୍ୱର, ଭେଟିନାଥ ଦେବ ପ୍ରମୁଖ ଦେବା ଦେବୀଙ୍କ ସହିତ କପିଳେଶ୍ୱର ଦେବ, ଗୋପୀନାଥ ଦେବ, ବାଲୁଙ୍କେଶ୍ୱର ଦେବ, ରଘୁନାଥ ଦେବ, ଗୁପ୍ତେଶ୍ୱର, ରାମେଶ୍ବର, ସ୍ଵପ୍ନେଶ୍ୱର ଦେବ ଓ ଝାଡେଶ୍ୱର ଦେବଙ୍କ ସହ ଆଖ ପାଖ ଶତାଧିକ ଗ୍ରାମର ୧୦୭ ଠାକୁରଙ୍କ ବିଜେ ପ୍ରତିମା ବୃଷବ, ସିଂହ, ଗରୁଡ଼, ହନୁମାନ ଓ ଚଉଦୋଳ ପ୍ରବୃତ୍ତି ୮୫ ଟି ସୁସଜ୍ଜିତ ଦୋଳ ବିମାନରେ ବିଭିନ୍ନ ପଟୁଆର ସହିତ ପାରମ୍ପରିକ ବାଦ୍ୟଜନ୍ତ୍ର, କାହାଳୀ ନାଦକ , ଘଣ୍ଟ ଘଣ୍ଟାର ତାଳେ ତାଳେ ବିଭିନ୍ନ ଗ୍ରାମ ପରିକ୍ରମା କରି ପଲଟଣ ପଡ଼ିଆରେ ଏକତ୍ରିତ ହୋଇ ସମସ୍ତ ଠାକୁର ଠାକୁରାଣୀ ନିଜ ନିଜ ଆସନ ଗ୍ରହଣ କରିଥିଲେ । ମୋଟୁ ପତଲୁ, କୋରାନା ସଚେତନତା, ଡାଇନୋସର , କଳାକୁଞ୍ଜ, ପରିବେଶ ସଚେତନତା, ପରମ୍ପରିକ ସାପ ସାପୁଆଣି, କେଳା କେଳୁଣୀ ଏବଂ ପାଇକ ଆଖଡ଼ା, ଘୋଡ଼ା ନାଚ, ଯୋଡ଼ି ଶଙ୍ଖ ନାଦରେ ପ୍ରକମ୍ପିତ ହୋଇ ଉଠିଥିଲା ପଲଟଣ ପଡ଼ିଆ । ମା ଭଗବତୀ, ଶ୍ରୀ ଚରଣ ଚକାଦେବ, ରଙ୍କନାଥ ଦେବ,ଉମାମହେଶ୍ୱର ଦେବ ପ୍ରମୁଖ ଆସନ ଗ୍ରହଣ କରିବା ପରେ ଅନ୍ୟାନ୍ୟ ଦେବା ଦେବୀ ନିଜର ଆସନ ଗ୍ରହଣ କରିଥିଲେ । ଏହା ପରେ ବାଦ୍ୟଯନ୍ତ୍ର ଓ ବିଭିନ୍ନ ରୋଷଣୀ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ରବିବାର ସନ୍ଧ୍ୟାରୁ ପଡ଼ିଆରେ ଲୋକଙ୍କ ଭିଡ଼ ଲାଗି ରହିଥିଲା । ସନ୍ଧ୍ୟା ସମୟରେ ତୁଳସୀ ସନ୍ଧ୍ୟା ଓ ଭଜନ ସମାରୋହ, ଗୋଟିପୁଅ ନୃତ୍ୟ ପରି ଅନେକ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସକାଳ ୯ ଟାରୁ ଅପରାହ୍ନ ଯାଏଁ ସମସ୍ତ ଠାକୁରଙ୍କ ପାଖରେ ଭୋଗ ଲାଗି ହେବା ସହ ଦିନ ତମାମ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ରହିଥିଲା । ଏ ଅବସରରେ ବହୁ ମାନସିକଧାରି ସେମାନଙ୍କ ପିଲା ମାନଙ୍କ ମୁଣ୍ଡନ କରିଥିଲେ । ଏହି ଭକ୍ତ ଭଗବାନ ଙ୍କ ମହା ମେଳଣ ପର୍ବକୁ ଦେଖିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ମାନଙ୍କ ସମାବେଶ ଦେଖିବାକୁ ମିଳିଥିଲା ।

Exit mobile version