ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଖୋର୍ଦ୍ଧା ବୟନ ମଣ୍ଡଳ ଅନ୍ତର୍ଗତ ଧଳାପଥର ତନ୍ତୁବାୟ ସହଯୋଗ ସମିତି ଆନୁକୁଲ୍ୟରେ ହସ୍ତତନ୍ତ କ୍ଷେତ୍ରରେ ନିୟୋଜିତ ବୁଣାକାର ଓ ଆନୁସଙ୍ଗିକ କର୍ମୀମାନଙ୍କ ନିମନ୍ତେ ସର୍ବ ଭାରତୀୟ ଚକ୍ଷୁସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସୁନେତ୍ର ଯୋଜନାରେ ଏକ ଚକ୍ଷୁ ପରୀକ୍ଷା ଶିବିର ଧଳାପଥର ପଞ୍ଚାୟତର କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହୋଇଯାଇଛି ! ସହକାରୀ ବୟନ ଶିଳ୍ପ ନିର୍ଦେଶକ ,ଖୋର୍ଦ୍ଧାଙ୍କ ସହଯୋଗିତାରେ ଏହା ଆୟୋଜନ କରାଯାଇଥିଲା । ଉକ୍ତ ଶିବିରରେ ସ୍ଥାନୀୟ ଅଞ୍ଚଳର କୋଟଶିଙ୍ଘା , ଶଙ୍କରପୁର ,ସାଗୁରଗାଁ , କୋଦୁଅବେରେଣୀ, ଶାମୁକା ପାଟଣା ,ଗେଡିଆପଲ୍ଲୀ ,ସୋମନାଥପୁର ,ତେଲିରଙ୍ଗଣୀ ପାଟଣା ,ଧଳାପଥର , ଗୋପୀନାଥପୁର ଏବଂ ପୋଡାପାଟଣା ଆଦି ଗ୍ରାମର ୧୫୭ ଜଣ ହିତାଧିକାରୀଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ସୁନେତ୍ର ଯୋଜନାରେ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଚକ୍ଷୁ ଚିକିତ୍ସକଙ୍କ ଦ୍ଵାରା ଚକ୍ଷୁ ପରୀକ୍ଷା କରାଯାଇଥିଲା । ଶିବିରରେ ହସ୍ତତନ୍ତ କାର୍ଯ୍ୟରେ ନିୟୋଜିତ ବୁଣାକାର ତଥା ଆନୁସଙ୍ଗିକ କର୍ମୀ ମାନେ ନିଜର ନାମ ପଞ୍ଜୀକରଣ କରାଇ ଚକ୍ଷୁ ପରୀକ୍ଷା କରାଇଥିଲେ । ସେମାଙ୍କ ମଧ୍ୟରୁ ୭୩ ଜଣ ବୁଣାକାର ଚଷମା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଅନ୍ୟମାନେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ସଦର ମହକୁମା ଚକ୍ଷୁ ବିଭାଗରେ ପରୀକ୍ଷା କରାଇ ସେମାନଙ୍କର ଚକ୍ଷୁ ଅସ୍ତ୍ରୋପଚାର କରାଇବା ପାଇଁ ପରାମର୍ଶ ଦିଆଯାଇଛି । ଶିବିରକୁ ଧଳାପଥର ତନ୍ତୁବାୟ ସହଯୋଗ ସମିତି ର ସଭାପତି ବ୍ରଜବନ୍ଧୁ ରାଉତ , ସ୍ଥାନୀୟ ଧଳାପଥର ଗ୍ରାମ ପଞ୍ଚାୟତର ସରପଞ୍ଚ ନାରାୟଣ ସାହୁ ,ସମିତି ସଭ୍ୟ ବିଜୟ କୁମାର ସୁବୁଦ୍ଧି , ସମିତିର ପୂର୍ବତନ ସଭାପତି ବୃନ୍ଦାବନ ସାହୁ , ସହକାରୀ ବୟନ ଶିଳ୍ପ ନିର୍ଦେଶକ ଖୋର୍ଦ୍ଧାଙ୍କ କାର୍ଯ୍ୟ।ଳୟର କର୍ମଚାରୀ ଏବଂ ସମିତିର ସମସ୍ତ ପରିଚାଳନା ପରିଷଦ ସଭ୍ୟ ଓ କର୍ମଚାରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ହସ୍ତତନ୍ତ ବୁଣାକାରଙ୍କ ନିମନ୍ତେ ସରକାର ପ୍ରଚଳନ କରିଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା , ବୁଣାକାରଙ୍କ କର୍ମଶାଳା, ତନ୍ତ ଓ ତନ୍ତ ଉପକରଣ , ତାଲିମ, ବଳିଆ ଯୋଜନା ରେ ସୁଧମୁକ୍ତ ରୁଣ ଏବଂ ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନାରେ ବିଦ୍ୟୁତ ସଂଯୋଗ ଥିବା କର୍ମଶାଳାକୁ ଇନଭର୍ଟର ଯୋଗାଣ ଉପରେ ବିଭାଗୀୟ କର୍ମଚାରୀ ଉପସ୍ଥିତ ବୁଣାକାରଙ୍କୁ ଅବଗତ କରାଇଥିଲେ । ବିଭାଗୀୟ କର୍ମଚାରୀ ଓ ଧଳାପଥର ତନ୍ତୁବାୟ ସହଯୋଗ ସମିତି ର କର୍ମଚାରୀଙ୍କ ମିଳିତ ପ୍ରଚେଷ୍ଟାରେ ଉକ୍ତ ଶିବିର ସୂଚାରୁ ରୂପେ ପରିଚାଳିତ ହୋଇଛି । ଅଂଶଗ୍ରହଣକାରୀ ବୁଣାକାରମାନେ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ଏହି ପ୍ରଚେଷ୍ଟା ବୁଣାକାର ମାନଙ୍କର ଉନ୍ନତି ଦିଗରେ ସହାୟକ ହେଉଥିବାର ହୃଦୟଙ୍ଗମ କରି ସରକାରଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି । ଉକ୍ତ ଶିବିରକୁ ସମିତିର କ୍ଷେତ୍ର କର୍ମଚାରୀ ଲକ୍ଷ୍ମୀଧର ସାହୁ ,ବୟନ ଶିଳ୍ପ ନିରିକ୍ଷକ ସୂଚାରୁ ରୁପେ ପରିଚାଳନା କରିଥିଲେ ।
ସୁନେତ୍ର ଯୋଜନାରେ ହସ୍ତତନ୍ତ ବୁଣାକାରଙ୍କ ଚକ୍ଷୁ ପରୀକ୍ଷା ଶିବିର !!!

