Site icon Awaj Media

ଆଦର୍ଶବାଦୀ ୟଙ୍ଗଷ୍ଟାର କ୍ଲବକୁ ଜିଲ୍ଲାର ସର୍ବଶ୍ରେଷ୍ଠ ଯୁବ ଅନୁଷ୍ଠାନ ପୁରସ୍କାର !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ବିଭିନ୍ନ କ୍ଷେତ୍ରରେ ସ୍ବେଚ୍ଛାସେବୀ କାର୍ଯ୍ୟ ପାଇଁ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ନେହେରୁ ଯୁବକେନ୍ଦ୍ର ପକ୍ଷରୁ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ବଡ଼ସହରା ଗ୍ରାମର ସାମାଜିକ ଅନୁଷ୍ଠାନ ଆଦର୍ଶବାଦୀ ୟଙ୍ଗଷ୍ଟାର କ୍ଳବ୍ କୁ ୨୦୨୩ ବର୍ଷ ପାଇଁ ଜିଲ୍ଲାର ସର୍ବଶ୍ରେଷ୍ଠ କ୍ଳବ୍ ଭାବରେ ପୁରସ୍କାର ପ୍ରଦାନ କରାଯାଇଛି । ଆଜି ନୟାଗଡ଼ ଜିଲ୍ଲା ଖୁଣ୍ଟୁବନ୍ଧ ସ୍ଥିତ ସରକାରୀ ତାଲିମ କେନ୍ଦ୍ରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଉକ୍ତ କ୍ଳବ୍ କୁ ୨୫ ହଜାର ଟଙ୍କା ସହିତ ମାନପତ୍ର ଦେଇ ସମ୍ମାନୀତ କରିଛନ୍ତି । ଏହା ସହ ଅନୁଷ୍ଠାନଟି ରାଜ୍ୟ ସ୍ତରକୁ ଉତ୍ତୀର୍ଣ୍ଣ ହେଇଛି ବୋଲି ସୂଚନା ମିଳିଛି । ଜିଲ୍ଲା ଯୁବ ଅଧିକାରୀ ଅନୁରାଗ କୁମାର ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, କୃଷି ବିଭାଗର ସହ ନିର୍ଦ୍ଦେଶିକା ସ୍ୱାଗତିକା ପତି, ଅର୍ଥନୀତି ଶାସ୍ତ୍ରର ଅଧ୍ୟାପକ ପବିତ୍ର କୁମାର ସୁବୁଦ୍ଧି ଅନ୍ୟତମ ଅତିଥି ଭାବରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଜିଲ୍ଲାର ସର୍ବଶ୍ରେଷ୍ଠ ୟୁଥ୍ କ୍ଳବ୍ ପୁରସ୍କାର ପାଇଁ ଅନୁଷ୍ଠାନ ପକ୍ଷରୁ ନେହେରୁ ଯୁବ କେନ୍ଦ୍ର ଓ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଦିଆଯିବା ସହ ଏହି ପୁରସ୍କାର ଭବିଷ୍ୟତ କାର୍ଯ୍ୟ ପାଇଁ ପ୍ରେରଣା ଯୋଗାଇବ ବୋଲି କୁହାଯାଇଛି । ଉକ୍ତ ପୁରସ୍କାରର ଶ୍ରେୟ କ୍ଳବ୍ ର ସମସ୍ତ ସଦସ୍ୟ ମାନଙ୍କୁ ଯିବ ବୋଲି କ୍ଳବ୍ ର ସମ୍ପାଦକ ସତ୍ୟବ୍ରତ ମହାରଣା କହିଛନ୍ତି । ଏହି ଅନୁଷ୍ଠାନ ବର୍ଷା ଜଳ ସଂରକ୍ଷଣ, ପରିବେଶ ସୁରକ୍ଷା, ଗରିବ ପିଲାଙ୍କୁ ମାଗଣା ଶିକ୍ଷାଦାନ, ବୃକ୍ଷରୋପଣ, ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରକାର ଜନ ସଚେତନତା କାର୍ଯ୍ୟକ୍ରମ ବିଗତ ୧୧ ବର୍ଷ ହେଲା କରିଆସୁଛି । ସୂଚନା ଥାଉକି ନୂତନ ଜଙ୍ଗଲ ସୃଷ୍ଟି ତଥା ଜଙ୍ଗଲ ନିଆଁ ଲିଭା କାର୍ଯ୍ୟ ପାଇଁ ୨୦୨୧ ମସିହାରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ପ୍ରକୃତି ମିତ୍ର ପୁରସ୍କାର ପାଇଥିଲା ।

Exit mobile version