Site icon Awaj Media

ବାଣପୁର ବଡ଼ହନ୍ତୁଆଡ ଗ୍ରାମର ଶ୍ରୀ ଶ୍ରୀ ରାଜାରାଜେଶ୍ଵର ଦେବଙ୍କ ଦଣ୍ଡ ଯାତ୍ରା ଆରମ୍ଭ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାରେ ଚୈତ୍ର ମାସରେ ହେଉଥିବା ପାରମ୍ପରିକ ଦଣ୍ଡ ଯାତ୍ରା ସୋମବାର ରୁ ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ଦିନ ପ୍ରଥମ ୧୭ ଦିନିଆ ଦଣ୍ଡ ଯାତ୍ରା ବାହାରିଛି । ବାଣପୁର ବଡ଼ହନ୍ତୁଆଡ ସ୍ଥିତ ବାବା ରାଜାରାଜେଶ୍ଵର ଦେବଙ୍କ ମନ୍ଦିରରେ ଦିନକ ପୂର୍ବରୁ ପ୍ରସ୍ତୁତି କରାଯାଇଥିବା ବେଳେ ଗତକାଲି ସମସ୍ତ ଭଗତା ଙ୍କ ମେଳରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ଏହା ପରେ ଦଣ୍ଡୁଆ ମାନେ ସ୍ନାନ, ପଇତା ଧାରଣ, ମହାଦେବ ଓ ମା’ କାଳୀଙ୍କ ପୂଜା କରି ପଟୁଆରରେ ବାହାରିଥିଲେ । ଏହି ଯାତ୍ରା ସମୟରେ ଭଗତା ମାନଙ୍କୁ କଠୋର ନିୟମ ମାନି ଚଳିବାକୁ ହୁଏ । ଶରୀରକୁ କଷ୍ଟ ଦେଇ ଶକ୍ତିରୂପୀ ମା’ କାଳୀଙ୍କ ଆରାଧନା କରାଯାଏ । ଧୂଳି ଦଣ୍ଡ, ପାଣି ଦଣ୍ଡ, ଅଗ୍ନି ଦଣ୍ଡ ଆଦି କରିଥାନ୍ତି । କାମ ବାସନା, କ୍ରୋଧ, ମୋହ, ପରିବାର ସମ୍ପର୍କ ଆଦି ତ୍ୟାଗ କରି ସନ୍ନ୍ୟାସୀ ତୁଲ୍ୟ କଠୋର ସମୟ‌ ଅତିବାହିତ କରିବାକୁ ପଡ଼େ । ଏଭଳି ସାଧନା ଓ ଆରାଧନାରେ ଦଣ୍ଡ ଠାକୁର ସନ୍ତୁଷ୍ଟ ହୋଇ ଭଗତା ଓ ମାନସିକଧାରୀଙ୍କ ମନୋସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ମା କାଳୀଙ୍କ ପ୍ରସିଦ୍ଧ ଦଣ୍ଡ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଏବେ ପ୍ରଥମ ଦିନରେ ବଡ଼ ହନ୍ତୁଆଡ ଗ୍ରାମରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା । ଆଜି ଦ୍ୱିତୀୟ ଦିନରେ ଅଶୋକାଷ୍ଟମୀ ଅବସରରେ ବାଣପୁର ଚିଆଙ୍କ ସାହି ଗ୍ରାମରେ ରାଜାରାଜେଶ୍ଵର ଦେବଙ୍କ ଦଣ୍ଡ ପକ୍ଷରୁ ପାଣିଦଣ୍ଡ, ଅଗ୍ନି ଦଣ୍ଡ, ଧୂଳି ଦଣ୍ଡ ପୂଜାର୍ଚ୍ଚନା ଥିବା ବେଳେ ରାତ୍ରି ସମୟରେ ବାବା ରାଜାରାଜେଶ୍ଵର ଦେବ ନାଟ୍ୟ ସଂସଦ ପକ୍ଷରୁ ମନୋରଞ୍ଜନ ପାଇଁ ସାମାଜିକ ନାଟକ ” ଏତେ ଦୁଃଖ କାଇଁ ଦେଲୁ ଦଇବ ” ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି ।

Exit mobile version