Site icon Awaj Media

ନବରାତ୍ର ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ : ମା’ ଭଗବତୀଙ୍କୁ ଦର୍ଶନ କଲେ ଅଗଣିତ ଶ୍ରଦ୍ଧାଳୁ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦୀର୍ଘ ଷାଠିଏ ବର୍ଷ ପରେ ମା’ ଭଗବତୀଙ୍କ ପୀଠରେ ପୁଣି ଆରମ୍ଭ ହୋଇଥିବା ବାସନ୍ତିକ ନବରାତ୍ର ବିଶ୍ୱଶାନ୍ତି ମହାଯଜ୍ଞ ଅତି ଆନନ୍ଦ ଉଲ୍ଲାସର ସହ ଅଗଣିତ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳି ଧ୍ବନୀ, ସଂକୀର୍ତ୍ତନ ମଣ୍ଡଳୀର ମୃଦଙ୍ଗ କରତାଳ ଘଣ୍ଟା ଘଣ୍ଟ କାହାଳୀର ଶବ୍ଦ ସହ ବେଦଜ୍ଞ ବ୍ରାହ୍ମଣଙ୍କ ପବିତ୍ର ମନ୍ତ୍ର ଉଚ୍ଚାରଣରେ ପୂର୍ଣ୍ଣାହୂତି ପ୍ରଦାନ ଶହ ଉଦଯାପିତ ହୋଇଯାଇଛି । ଚୈତ୍ର ଶୁକ୍ଳ ପ୍ରତିପଦା ହିନ୍ଦୁ ନବବର୍ଷ ଠାରୁ ଆରମ୍ଭ ଏହି ଯଜ୍ଞରେ ବ୍ରାହ୍ମଣବରଣ , ମଙ୍ଗଳାଚରଣ, ଚ଼ଣ୍ଡିପାଠ, ସୂର୍ଯ୍ୟପୂଜା, ସାଲା ପୂଜା , ହୋମାଗ୍ନିରେ ଆହୁତି ପ୍ରଦାନ, ଅନ୍ନ ଯଜ୍ଞ, ସାଂଧ୍ଯ ଆଳିତି, ପୁଷ୍ପାଞ୍ଜଳି ପ୍ରଦାନ, ସଂସାରର ମଙ୍ଗଳ କାମନା ସହ ନାମ ସଂକୀର୍ତ୍ତନ, ପ୍ରବଚନ, ଭଜନ ଜଣାଣ, ଭାଗବତ ପାଠ ଓ ଆଧ୍ୟାତ୍ମିକ ନୃତ୍ୟସଂଗୀତ ପରିବେଶଣ ମା’ଙ୍କ ମନ୍ଦିର ପରିବେଶକୁ ଅତ୍ୟନ୍ତ ଆଧାତ୍ମିକମୟ କରି ଦେଉଥିଲା । ମା’ଙ୍କୁ ଦର୍ଶନ କରି ଯଜ୍ଞ ଭଗବାନ ଠାରୁ ଆଶୀର୍ବାଦ କାମନା କରିବାକୁ ବାଣପୁର ତଥା ସମଗ୍ର ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ମା’ଙ୍କ ପୀଠରେ ପ୍ରାଚୀନ କାଳରୁ କେବଳ ଶାରଦୀୟ ଦୁର୍ଗାପୂଜା ଉତ୍ସବ ପାରମ୍ପରିକ ରୀତିନୀତିରେ ଷୋଳ ଦିନ ଧରି ପାଳିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ବାଣପୁର ଅଞ୍ଚଳର ଜନ ସାଧାରଣଙ୍କ ସହଯୋଗରେ ଗଠିତ ମହାଯଜ୍ଞ କମିଟି ପ୍ରଥମ ଥର ପାଇଁ ବାସନ୍ତିକ ନବରାତ୍ର ବିଶ୍ୱଶାନ୍ତି ମହାଯଜ୍ଞ ଆୟୋଜନ କରିଥିବାରୁ ସମଗ୍ର ଖୋର୍ଦ୍ଧା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ମା’ଙ୍କ ଦର୍ଶନ ସହ ଯଜ୍ଞ ଭଗବାନଙ୍କ ଆଶୀର୍ବାଦ ଲାଭ ପାଇଁ ଅଗଣିତ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା । ଶେଷରେ ପବିତ୍ର ଶ୍ରୀରାମ ନବମୀ ଦିନ ଅପରାହ୍ନର ଗୋଧୂଳୀ ଲଗ୍ନରେ ବେଦମନ୍ତ୍ର, ହୁଳହୁଳି ହରିବୋଲ ଧ୍ବନୀରେ ମହାଯଜ୍ଞର ପୂର୍ଣ୍ଣାହୂତି ପ୍ରଦାନ କରାଯାଇ ଆଧ୍ୟାତ୍ମିକ ଉତ୍ସବର ଉଦଯାପନ କରାଯାଇଛି । ବାଣପୁର ଜନ ସାଧାରଣଙ୍କ ସହଯୋଗରେ ଗଠିତ ମହାଯଜ୍ଞ କମିଟିର ଅକୁଣ୍ଠ ଉତ୍ସର୍ଗୀକୃତ ସେବା, ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ମନ୍ଦିର ପରିଚାଳନା କମିଟି, ଦେବୋତ୍ତର କାର୍ଯ୍ୟାଳୟ, ମନ୍ଦିର ଛତିଶା ସେବାୟତ, ସ୍ଥାନୀୟ ଥାନା, ବିଜ୍ଞାପିତ ଅଞ୍ଚଳ ପରିଷଦ, ବିଦ୍ୟୁତ କାର୍ଯ୍ୟାଳୟ, ସାମ୍ବାଦିକ ମଣ୍ଡଳି ସର୍ବୋପରି ବଦାନ୍ୟ ବ୍ୟକ୍ତିମାନଙ୍କ ମିଳିତ ସହଯୋଗ, ସହିତ ଅର୍ଥଦାନ, ଶ୍ରମଦାନ ଯୋଗୁଁ ଏପରି ଆଧାତ୍ମିକ ମହତ କାର୍ଯ୍ୟ ସଫଳ ହୋଇପାରି ଥିବାରୁ ମା’ ଭଗବତୀଙ୍କ କରୁଣାରୁ ସମସ୍ତଙ୍କ ମଙ୍ଗଳ କାମନା କରାଯାଇଛି ।

Exit mobile version