ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଦଳ ତରଫରୁ ସ୍ୱର୍ଗତଃ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରାଯାଇଛି । ଏହି ଘୋଷଣା ପରେ ଦୀପାଳି କହିଛନ୍ତି, ତାଙ୍କ ଉପରେ ଭରସା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ମୁଖ୍ୟମନ୍ତ୍ରୀଙ୍କ ଏହି ଭରସାକୁ ଆଗାମୀ ଦିନରେ କାଏମ ରଖିବେ ବୋଲି ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ଝାରସୁଗୁଡ଼ା ବିଧାନସଭା ଆସନରୁ ସ୍ୱର୍ଗତଃ ନବ କିଶୋର ଦାସ ୩ ଥର ନିର୍ବାଚିତ ହୋଇଥିଲେ । ୨୦୦୯ ଓ ୨୦୧୪ରେ ସେ କଂଗ୍ରେସ ଟିକେଟରେ ଏହି ଆସନରୁ ବିଜୟୀ ହୋଇଥିଲେ। ୨୦୧୯ରେ ସେ ବିଜେଡି ଟିକେଟରେ ଏହି ଆସନରୁ ଜିତିଥିଲେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ହୋଇଥିଲେ । ଗତ ଜାନୁଆରୀ ୨୯ ତାରିଖରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ବ୍ରଜରାଜନଗରରେ ଗୁଳି କରି ହତ୍ୟା କରାଯାଇଥିଲା । ଏହା ପରେ ଝାରସୁଗୁଡ଼ା ବିଧାନସଭା ଆସନଟି ଖାଲି ପଡ଼ିଥିଲା । ମାର୍ଚ୍ଚ ୨୯ ତାରିଖରେ ନିର୍ବାଚନ କମିଶନ ଏହି ଆସନରେ ଉପନିର୍ବାଚନ କରିବା ପାଇଁ ତାରିଖ ଘୋଷଣା କରିଥିଲେ । ଏହି ଉପନିର୍ବାଚନ ପାଇଁ ମେ’ ୧୦ ତାରିଖରେ ଭୋଟ୍ ଗ୍ରହଣ କରାଯିବ । ଏଥିପାଇଁ ଏପ୍ରିଲ ୧୩ ତାରିଖରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ । ତା’ସହିତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଏହି ପ୍ରକ୍ରିୟା ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏପ୍ରିଲ ୨୧ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ । ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ଏପ୍ରିଲ ୨୪ ରହିଛି । ମେ’ ୧୦ ତାରିଖରେ ଭୋଟ୍ ଗ୍ରହଣ ହେବ। ମେ’ ୧୩ ତାରିଖରେ ଗଣତି ହେବ। ମେ’ ୧୫ ତାରିଖରେ ଏହି ଉପନିର୍ବାଚନର ପୂରା ପ୍ରକ୍ରିୟା ଶେଷ ହେବ।

