Site icon Awaj Media

ନୟାଗଡ଼ ଜିଲ୍ଲାର ୩୦ତମ ପ୍ରତିଷ୍ଠା ଦିବସ ପାଳିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ନୟାଗଡ଼ ଜିଲ୍ଲାର ୩୦ ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ସ୍ଥାନୀୟ ଖେଳ ପଡ଼ିଆରେ ପାଳିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାର ଗର୍ଵ ଓ ଗୌରବ ତଥା ମିଠା ଜଗତର ମଉଡ଼ମଣି ନୟାଗଡ଼ର ପ୍ରସିଦ୍ଧ ଛେନାପୋଡ଼ କାଟି ଅତିଥି ମାନେ ଜିଲ୍ଲା ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ୧୯୯୩ ମସିହା ଅପ୍ରେଲ ୨ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ନୟାଗଡ଼ ଜିଲ୍ଲା ମହା ଆଡମ୍ବରରେ ଉଦଘାଟିତ ହୋଇଥିଲା । ଆଜି ୩୦ ବର୍ଷରେ ପଦାର୍ପଣ କରିଥିବା ନୟାଗଡ଼ ଜିଲ୍ଲାର ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗଦାନ କରି ଜିଲ୍ଲାର ବିକାଶ ତଥା ଉନ୍ନତିରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସେହିପରି ନୟାଗଡ଼ ପ୍ରସିଦ୍ଧ ଛେନାପୋଡ଼ ର ଜିଆଇ ଟ୍ୟାଗ ପାଇଁ ସମସ୍ତେ ସହଯୋଗ କରିବା ସହିତ ସାମାଜିକ ଗଣମାଧ୍ୟମରେ ଛେନାପୋଡ଼ର ପ୍ରଚାର ଓ ପ୍ରସାର ପାଇଁ ନିବେଦନ କରିଥିଲେ । ସମ୍ମାନିତ ଅତିଥି ଭାବେ ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ବେହେରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରାୟ, ନୟାଗଡ଼ ମୁନିସିପାଲିଟି ଅଧ୍ୟକ୍ଷା ନିରୂପମା ଖଟେଇ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ଜିଲାପାଳ ରବୀନ୍ଦ୍ରନାଥ ସାହୁଙ୍କ ପୌରହିତ୍ୟି ରେ ଆୟୋଜିତ ଏହି ସଭାକୁ ନୟାଗଡ଼ ବ୍ଲକ ଅଧିକାରୀ ପଦ୍ମ ଚରଣ ସାହୁ ଏବଂ ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ ସଂଯୋଜନା କରିଥିଲେ । ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ନୟାଗଡ଼ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରତ୍ୟାଶା ଶତପଥୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ ହଜାର ଟଙ୍କା ଏବଂ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ଥାନୀୟ କଳାକାର ମାନଙ୍କଦ୍ୱାରା ନୟାଗଡ଼ ବନ୍ଦନା ଏବଂ ସ୍ୱଚ୍ଛ ନୟାଗଡ଼ ନୃତ୍ୟସଙ୍ଗୀତ ପରିବେଷଣ କରାଯାଇଥିବା ବେଳେ ଶେଷରେ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Exit mobile version