Site icon Awaj Media

ପାର୍କ ନିର୍ମାଣରେ ଠିକାଦାର ସାଜିଛନ୍ତି ବନ କର୍ମଚାରୀ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ପଂଚିରିଡ଼ା ବନ ବିଭାଗର ଗୁମର କଥା ! ପାର୍କ ନିର୍ମାଣରେ ଠିକାଦାର ସାଜିଛନ୍ତି ବନ ବିଭାଗ କର୍ମଚାରୀ ! ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ୍ ପଞ୍ଚିରିଡ଼ା ବନ ବିଭାଗ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ବନ ବିଭାଗ ପକ୍ଷରୁ ଶିଶୁ ଉଦ୍ୟାନ ଓ ପାର୍କ ନିର୍ମାଣ ପାଇଁ ଆସିଥିବା ଅନୁଦାନକୁ କର୍ମଚାରୀ ମାନେ ବାଟମାରଣା କରିବାକୁ ଯୋଜନା କରିଛନ୍ତି । ପାହାଡ଼ ଉପରକୁ ଚଲାପଥ ରାସ୍ତା ନିର୍ମାଣ କରିବା ସମୟରେ ସିମେଣ୍ଟ ର ଆଡ଼ି ଦେବା ବଦଳରେ କାଠର ଆଡ଼ି ଦିଆଯାଇ କାର୍ଯ୍ୟ କରାଯାଇଛି । ଜଙ୍ଗଲରୁ କାଠ କାଟି ଏଭଳି ପାର୍କ ନିର୍ମାଣରେ ଲଗାଯାଇଥିବା ଦେଖିବାକୁ ମିଳିଛି । ଏହି ପାର୍କ ନିର୍ମାଣରେ ବନ କର୍ମଚାରୀମାନେ ନିଜେ ଠିକାଦାର ସାଜିଥିବା କୁହାଯାଉଛି । ଅଭିଯୋଗ ଅନୁଯାୟୀ, ରାତି ପାହିଲେ ଲଡୁବାବାଙ୍କ କ୍ଷେତ୍ର ଶରଣକୁଳକୁ ସାହସ୍ରାଧିକ ଭକ୍ତଙ୍କ ସୁଅ ଛୁଟିଥାଏ । ଏହି ଦୃଷ୍ଟିରୁ ଏକ ପାର୍କ ନିର୍ମାଣ ପାଇଁ ଯୋଜନା କାର୍ଯ୍ୟକାରୀ କରାଯାଇଛି । ବନ ବିଭାଗ ପାର୍କ ନିର୍ମାଣ କରିବା ସହିତ ଏହାର ତଦାରଖ କରିବ । କିନ୍ତୁ କାର୍ଯ୍ୟ ଆରମ୍ଭରୁ ଚଂଚକତା କରି ଅର୍ଥ ତୋଷାରପାତ କରିବାକୁ ଯୋଜନା କରାଯାଇଛି। ପାହାଡ଼ ଉପରକୁ ଯିବା ଆସିବା କରିବାକୁ ଚଲାପଥ ରାସ୍ତା ନିର୍ମାଣ ହେଉଛି। ସେହି ଚଲାପଥ ରାସ୍ତାରେ ଜଙ୍ଗଲ କାଠକୁ ଲଗାଇ କାମ କରାଯାଉଛି। ଫଳରେ ବର୍ଷା ପାଣି କିମ୍ବା ପାହାଡ଼ ପାଣି ଆସି ସେହି କାଠ ନଷ୍ଟ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ସେହିପରି ପାର୍କ ନିର୍ମାଣ ହେଉଥିବା ସ୍ଥାନରେ ଅତି ନିମ୍ନମାନର କାର୍ଯ୍ୟ ହୋଇଥିବା ଦେଖିବାକୁ ମିଳିଛି। ବନ ବିଭାଗକୁ କୋଟି କୋଟି ଟଙ୍କା ପାର୍କ ନିର୍ମାଣ ପାଇଁ ଟେକି ଦିଆଯାଇଥିବା ବେଳେ କାର୍ଯ୍ୟର ଏଷ୍ଟିମେଟ୍ ଅନୁଯାୟୀ କିଏ ପ୍ଲାନିଂ ଦେଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। କାର୍ଯ୍ୟ ସମୟରେ ଯନ୍ତ୍ରୀ ଉପସ୍ଥିତ ନଥିବା ଏବଂ ନିଜେ ଯନ୍ତ୍ରୀ ସାଜି ବନ ବିଭାଗ କାର୍ଯ୍ୟ କରୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ ବାଢିଛନ୍ତି। ସବୁଠାରୁ ବଡ଼କଥା ହେଉଛି କମ୍ ସିମେଣ୍ତ ଦେଇ ଅଧିକ ବାଲିରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ପାହାଡ଼ ଉପରେ କାର୍ଯ୍ୟ ଚାଲୁଥିବାରୁ କାହାରି ନଜର ନଥିବାରୁ ବନ ବିଭାଗ କର୍ମଚାରୀମାନେ ଏହାର ବେଶ ଫାଇଦା ଉଠାଇବାରେ ଲାଗିଛନ୍ତି। ଜଙ୍ଗଲ ଛାଡି କିପରି ପକେଟ୍ ଗରମ କରିବେ ସେହି କାର୍ଯ୍ୟରେ ଲାଗି ପଡିଛନ୍ତି ବନ କର୍ମଚାରୀ। ଜିଲ୍ଲାପାଳ ଘଟଣାର ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।

Exit mobile version