ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଶୀତ ପରେ ମଧ୍ୟ ଚିଲିକାର ମୋହ ଛାଡି ଯାଇ ପାରୁନାହାନ୍ତି ବିଦେଶୀ ପକ୍ଷୀ ! ସେମାନଙ୍କ ସୁରକ୍ଷା ନେଇ ଚିନ୍ତାରେ ପକ୍ଷୀ ବିଶାରଦ ! ଶୀତଦିନ ଆସିଲେ ହଜାର ହଜାର ମାଇଲ ଦୂରରୁ ଉଡ଼ି ଆସନ୍ତି ନାନା ପ୍ରଜାତିର ଦେଶୀ ବିଦେଶୀ ପକ୍ଷୀ ଚିଲିକା ବକ୍ଷକୁ । ସେଥିପାଇଁ ବନ୍ୟପ୍ରାଣୀ ବିଭାଗ ଦ୍ବାରା ପକ୍ଷୀ ସୁରକ୍ଷା ପାଇଁ ଅସ୍ଥାୟୀ କ୍ୟାମ୍ପ ପ୍ରସ୍ତୁତ ହୋଇଥାଏ । ଶୀତ ସରି ଆସିଲେ ପୁଣି ଫେରି ଯାଆନ୍ତି ନିଜ ନିଜ ଅଞ୍ଚଳକୁ । ସେପଟେ ବନ୍ୟପ୍ରାଣୀ ବିଭାଗ ଦ୍ବାରା ପକ୍ଷୀ ସୁରକ୍ଷା ପାଇଁ ଅସ୍ଥାୟୀ କ୍ୟାମ୍ପ ମଧ୍ୟ ବନ୍ଦ ହୋଇଯାଏ । କିନ୍ତୁ ଏହାରି ମଧ୍ୟରେ ଆଉ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି , ତାହା ହେଲା ଶୀତ ପରେ ମଧ୍ୟ ଚିଲିକାର ମୋହ ଛାଡି ଯାଇ ପାରୁନାହାନ୍ତି ହଜାର ହଜାର ଦେଶୀ ବିଦେଶୀ ପକ୍ଷୀ I ସେମାନଙ୍କ ସୁରକ୍ଷା ନେଇ ଚିନ୍ତାରେ ପକ୍ଷୀପ୍ରେମୀ ଓ ପକ୍ଷୀ ବିଶାରଦ । ପ୍ରତିବର୍ଷ ପରି ଚଳିତ ବର୍ଷ ଚିଲିକାକୁ ୧୧ ଲକ୍ଷ ରୁ ଉର୍ଦ୍ଧ୍ବ ଦେଶି ବିଦେଶୀ ପକ୍ଷୀ ଆସିଥିଲେ । ସେମାନଙ୍କ ସୁରକ୍ଷା ପାଇଁ ଅକ୍ଟୋବର ମାସ ଠାରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଅସ୍ଥାୟୀ ସୁରକ୍ଷା କ୍ୟାମ୍ପ ପ୍ରସ୍ତୁତ ହୋଇଥିଲା । ଏହା ପରେ ସେସବୁ କ୍ୟାମ୍ପ ବନ୍ଦ କରାଯାଇସିଛି । କିନ୍ତୁ ଖୁସିର କଥା ଏଥର ମାର୍ଚ୍ଚ ସରି ଅପ୍ରେଲ ଆସିଲା ଶୀତ ସରି ଗ୍ରୀଷ୍ମ ଋତୁ ଆସିଲାଣି କିନ୍ତୁ ଚିଲିକାର ମୋହ ଛାଡି ଯାଇ ପାରୁନାହାନ୍ତି ଦେଶି ବିଦେଶୀ ପକ୍ଷୀ । ସରକାରୀ ରିପୋର୍ଟ ଅନୁଯାୟୀ ଚିଲିକାରେ ଏବେ ସୁଦ୍ଧା ୭୫ ହଜାରରୁ ଉର୍ଦ୍ଧ ପକ୍ଷୀ ଅଛନ୍ତି । ବିଦେଶି ପକ୍ଷୀ ମଧ୍ୟରେ ପିଣ୍ଟେଲ, ଗଡ୍ୱାଲ, ସୋଭ୍ଲର୍, ଫେଲିକନ୍ ପରି ଅନେକ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳୁଛି । ପକ୍ଷୀ ସୁରକ୍ଷା ସମିତିର ସଦସ୍ୟ ମାନେ କୁହନ୍ତି , ସେ ପକ୍ଷୀ ମାନେ ଏଠାରେ ରହିବା ସହ ଅଣ୍ଡା ଦେଇ ଛୁଆ ଫୁଟାଇ ଥାଆନ୍ତି । ଏଣୁ ସେ ମାନଙ୍କୁ ଏହି ସମୟରେ ଅଧିକା ସୁରକ୍ଷା ଜରୁରୀ । ଚିଲିକାରେ ଶୀତ ଋତୁରେ ବହୁଳ ଭାବରେ ପକ୍ଷୀ ଆସିଥିଲେ ସୁଦ୍ଧା ସ୍ଥାୟୀ ଭାବରେ ଅନେକ ପ୍ରଜାତିର ଦେଶୀ ବିଦେଶୀ ପକ୍ଷୀ ବର୍ଷ ତମାମ ମଙ୍ଗଳାଯୋଡ଼ି ଓ ନଳବଣ ଠାରେ ରହିଛନ୍ତି । ତେଣୁ ଏହି ସ୍ଥାନ ମାନଙ୍କରେ ସରକାରଙ୍କ ତରଫରୁ ସ୍ଥାୟୀ ପକ୍ଷୀ ସୁରକ୍ଷା କ୍ୟାମ୍ପ ସ୍ଥାପନ ସହ ପୁର୍ବ ପରି ଚିଲିକା କୂଳ ଗ୍ରାମ ଗୁଡିକରେ ଗ୍ରାମବାସୀ ଓ ବନ୍ୟପ୍ରାଣୀ ବିଭାଗ ମିଳିତ ଭାବରେ ପକ୍ଷୀ ସୁରକ୍ଷା କମିଟି କଲେ ପକ୍ଷୀ ଶିକାର ଉପରେ ରୋକ୍ ଲାଗି ପାରନ୍ତା । ତାହା ସହ ବର୍ଷ ତମାମ ମଙ୍ଗଳାଯୋଡି ପକ୍ଷୀ ଅଭୟରଣ୍ୟରେ ସ୍ଥାୟୀ ପକ୍ଷୀ ସୁରକ୍ଷା କ୍ୟାମ୍ପ ସ୍ଥାପନ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ପକ୍ଷୀ ପ୍ରେମୀ ଓ ପରିବେଶବିତ୍ ।