ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଆସନ୍ତା ଜୁନ୍ ୨୦ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ପ୍ରଥମେ ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରି ପୂର୍ବ ବର୍ଷର ଆଦାୟ ଓ ଖର୍ଚ୍ଚ ବିଷୟରେ ବିବରଣୀ ପଠନ କରିଥିଲେ । ତେବେ ଏହି ବର୍ଷ ରଥଯାତ୍ରା କମିଟିର କୋଷାଧ୍ୟକ୍ଷ ବାଭରେ ତହସିଲଦାର ପାରଳାଖେମୁଣ୍ଡି ପ୍ରଶାସନ ତରଫରୁ ରହିବେ । ପରେ ପରେ ରଥ ନିର୍ମାଣ ଓ ମରାମତି ସମ୍ପର୍କରେ ସବିଶେଷ ଭାବେ ଆଲୋଚନା ହୋଇଥିଲା । ଏଥିନିମନ୍ତେ କେଉଁ ଠାରୁ କାଠ ଆସିବ ଏବଂ କେତେ ପରିମାଣର ନୂତନ କାଠ ଆବଶ୍ୟକ ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅସ୍ଥାୟୀ ଦୋକାନ ବ୍ୟବସ୍ଥା ଓ ମୀନା ବଜାର ପାଇଁ ନିରୂପଣ ଏବଂ ନିଲାମ ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଯାତ୍ରାର ମୁଖ୍ୟ ବିଷୟ ବସ୍ତୁ ଶୁଖିଲା ଭୋଗ ଓ ଅନ୍ନଭୋଗ ବିଷୟରେ ଆଲୋଚନା ହେବା ସହ ଏହାର ଦାୟିତ୍ୱ ଓ ଏଥିନିମନ୍ତେ କେତେ ପରିମାଣର ଖର୍ଚ୍ଚ ହେବ ସେ ବିଷୟରେ କମିଟି ସଦସ୍ୟ ଓ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଆଲୋଚନା ହୋଇ ତାର ସମ୍ପୂର୍ଣ୍ଣ ବିବରଣୀ ପ୍ରସ୍ତୁତ ହୋଇଥିଲା । ରଥଯାତ୍ରାରେ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସହରର ପରିମଳ ବ୍ୟବସ୍ଥା ଓ ସୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ଆମ୍ବୁଲାନ୍ସ ଓ ଅଗ୍ନିଶମ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା ହେବା ସହ ଉକ୍ତ ବିଭାଗକୁ ଏଥିପାଇଁ ସମ୍ପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ସେହିପରି ବିଦ୍ୟୁତ ବ୍ୟବସ୍ଥା ଏବଂ ରାସ୍ତାଘାଟ ମରାମତି ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା । ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କିପରି ସୁରକ୍ଷା ବ୍ୟବସ୍ଥା କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧକ୍ଷ ଶ୍ରୀ ଜି.ତିରୁପତି ରାଓ, ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ରାମକୃଷ୍ଣ ପତି, ଅତିରିକ୍ତ ବନଖଣ୍ଡ ଅଧିକାରୀ ଶ୍ରୀ ଅଶୋକ କୁମାର ବେହେରା, ରାସ୍ତା ଓ କୋଠାବାଡି ପୂର୍ତ୍ତ ବିଭାଗୀୟ ଅଧିକାରୀ ଶ୍ରୀ ଶ୍ରୀକାନ୍ତ ସାମଲ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଥିବାବେଳେ ସହରର ବହୁ ବୁଦ୍ଧିଜିବୀ, ଗଣମାଧ୍ୟମ ପ୍ରତିନିଧି, ସହରର ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତାମତ ଦେବା ସହ ଆଲୋଚନା କରିଥିଲେ । ବୈଠକ ଶେଷରେ ବରିଷ୍ଠ ନାଗରିକ ଶ୍ରୀ ଭରତ ଭୂଷଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ପାରଳାଖେମୁଣ୍ଡିରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ !!!

